ହାଇଦ୍ରାବାଦ: ଜେଏସଡବ୍ଲୁ ସ୍ପୋର୍ଟସର ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ବୁଧବାର କହିଛନ୍ତି ଯେ ସେ ଅତୀତରେ ଅନେକ ଥର ସ୍ପ୍ରିଣ୍ଟର୍ ଦୂତୀଙ୍କୁ ଚାନ୍ଦଙ୍କୁ ସାହାଯ୍ୟ କରିବାକୁ ହାତ ବଢ଼ାଇଥିଲେ ଏବଂ ଯଦି ଆର୍ଥିକ ସହାୟତା ଆବଶ୍ୟକ କରନ୍ତି ତେବେ ସେଥିପାଇଁ ମଧ୍ୟ ସେ ରାଜି ବୋଲି କହିଛନ୍ତି । ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବା ପାଇଁ ତାଙ୍କୁ ପାଣ୍ଠି ଆବଶ୍ୟକ ଥିବାରୁ ଦୂତୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ ତାଙ୍କ ବିଏମଡବ୍ଲୁ ବିକ୍ରି ପାଇଁ ଏକ ପୋଷ୍ଟ କରିଥିଲେ। ପରେ ସେ ତାଙ୍କ ପୋଷ୍ଟକୁ ଡିଲିଟ କରିଥିଲେ କିନ୍ତୁ ସେତେବେଳ ପର୍ଯ୍ୟନ୍ତ ଏହା ସାରା ଦେଶରେ ହେଡଲାଇନ ହୋଇ ସାରିଥିଲା । ତେବେ ଦୂତୀ ବୁଧବାର ସନ୍ଧ୍ୟାରେ ଏନେଇ ଟ୍ବିଟରରେ ଏକ ବିବୃତ୍ତି ଦେଇଛନ୍ତି ।
ପୂର୍ବତନ ଟେନିସ ଖେଳାଳି ସୋମଦେବ ଦେବବର୍ମନ ଦୂତୀଙ୍କ ବିଏମଡବ୍ଲୁ ବିକ୍ରି କରିବା କଥାକୁ ଟ୍ବିଟରରେ ସେୟାର କରି ଲେଖିଥିଲେ, ‘‘ଯେତେବେଳେ ଆମ ଆଥଲେଟ ମାନେ ଜିତନ୍ତି, ଆମ ସିଷ୍ଟମ କାରଣରୁ ଜିତନ୍ତି, ଜିତିବାର କାରଣ ଏହା ନୁହେଁ ।’’
ଜିନ୍ଦଲ, ଯାହାଙ୍କର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍ ଅନେକ ଭାରତୀୟ ଆଥଲେଟଙ୍କୁ ପ୍ରାୟୋଜିତ କରିଥାଏ, ସେ ଦେବବର୍ମନଙ୍କ ଏହି ପୋଷ୍ଟରେ ଉତ୍ତର ଦେଇ ଲେଖିଥିଲେ, ‘‘ସମ୍ପୂର୍ଣ୍ଣ ନିର୍ବୋଧତା - ଆମେ ତାଙ୍କୁ IISରେ ଅନେକ ଥର ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛୁ। ଏହି ଅଫର ଏପର୍ଯ୍ୟନ୍ତ ଖୋଲା ଅଛି।’’
ତେବେ ଦୂତୀ ବୁଧବାର ଟ୍ବିଟରରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ତାଙ୍କ ପାଖରେ ତାଙ୍କ କାରକୁ ପରିଚାଳନା କରିବାର ସାଧନ ନାହିଁ । ‘‘ମୁଁ ଏହି କାରକୁ ବ୍ୟବହାର କରିବାରେ ସକ୍ଷମ ନୁହେଁ ଓ ଏହାର ପରିଚାଳନା ମୋ ପକ୍ଷରେ ବ୍ୟୟ ସାପେକ୍ଷ । ମୁଁ କେବେ ବି କହି ନାହିଁ ଯେ ମୁଁ ଟ୍ରେନିଙ୍ଗ ପାଇଁ ଅର୍ଥ ଦରକାର କାରଣରୁ ମୋ କାର ବିକ୍ରି କରୁଛି । ଓଡ଼ିଶା ସରକାର ଓ ମୋ ଖୁବ ଆପଣାର କିଟ ବିଶ୍ବବିଦ୍ୟାଳୟ ମତେ ସବୁବେଳେ ସାହାଯ୍ୟ କରିଛନ୍ତି । ମୋ ଟ୍ରେନିଙ୍ଗ ଖୁବ ବ୍ୟୟ ସାପେକ୍ଷ ଏଥିରେ କୌଣସି ଦ୍ବିମତ ନାହିଁ । ମୁଁ ଏହା କହିବାକୁ ଚାହୁଁଛି ଯେ ସେହି ଟଙ୍କା ମୋ ଟ୍ରେନିଙ୍ଗ ପାଇଁ ବ୍ୟବହାର ହୋଇ ପାରିବ । ଆଉ କୋରୋନା ପରେ ମତେ ସରକାରଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିଲେ ପୁଣି ଥରେ କାର ହେଇ ପାରିବ । କାରଣ କାର ଅପେକ୍ଷା କରି ପାରିବ ମୋ ଟ୍ରେନିଙ୍ଗ ନୁହେଁ । ମୁଁ ଓଡ଼ିଶା ସରକାର କିମ୍ବା କିଟ ଉପରେ ବୋଝ ହେବାକୁ ଚାହୁଁନାହିଁ । ତେବେ କାର ବିକ୍ରି ଦ୍ବାରା ମୁଁ ନିଜକୁ ସାହାଯ୍ୟ କରିବା ସହ ଏହି ମହାମାରୀ ସମୟରେ ସରକାର ଓ କିଟର ଉପରେ ବୋଝ ମଧ୍ୟ କମ କରି ପାରିବି । ସରକାର ମତେ ନିଶ୍ଚିୟ ସାହାଯ୍ୟ କରିବେ କିନ୍ତୁ ମୁଁ ମୋ ନିଜ ପାଇଁ କଣ କିଛି କରି ପାରିବି ନାହିଁ ? ଗଣମାଧ୍ୟମ ଏହି ବିଭ୍ରାନ୍ତି ସୃଷ୍ଟି କରିଛି ।’’
ଏହାସହ ଦୂତୀ କହିଛନ୍ତି ଯେ, ‘‘ଅନ୍ୟାନ୍ୟ ଖେଳାଳି ଯାହାଙ୍କୁ କିଟ ପରିଚୟ ଦେଇଛି ସେମାନହ୍କୁ ଛାଡି ବାରମ୍ବାର ମତେ ମୋ ପାରିବାରିକ ସମସ୍ୟା ନେଇ ଟାର୍ଗେଟ କରାଯାଉଛି ।’’