ନୂଆଦିଲ୍ଲୀ: ଭାରତୀୟ ଯୁବ କୁସ୍ତି ଯୋଦ୍ଧା ଦୀପକ ପୁନିଆଙ୍କୁ ବଡ ଝଟକା । ବିଶ୍ବ କୁସ୍ତି ଚମ୍ପିଆନସିପ ଫାଇନାଲ ମୁକାବିଲାରେ ସ୍ବର୍ଣ୍ଣ ପଦକ ମ୍ୟାଚରୁ ଓହରି ଯାଇଛନ୍ତି ଦୀପକ । ସେମିରେ ବାମ ଗୋଡରେ ଆଘାତ ପାଇଥିଲେ ସେ । ଫାଇନାଲ ମ୍ୟାଚ ପୂର୍ବରୁ ଠିକ ହୋଇଯିବେ ବୋଲି ଆଶା ରଖିଥିଲେ । ମାତ୍ର ଏହା ସମ୍ଭବ ହେଲାନାହିଁ । ସେଥିପାଇଁ ସେ ଓହରିଯାଇଛନ୍ତି ବୋଲି କହିଛନ୍ତି । ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।
ତେବେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବାକୁ ସେ ଚାହୁଁଥିଲେ । ମାତ୍ର ସ୍ବପ୍ନ ଅଧୁରା ରହିଗଲା ବୋଲି ସେ କହିଛନ୍ତି । ସ୍ବର୍ଣ୍ଣ ପଦକ ମୁକାବିଲାରୁ ଓହରିବା ପରେ 20 ବର୍ଷିୟ ଏହି ଯୁବ କୁସ୍ତି ଷ୍ଟାର ହାଟ୍ରିକ ସ୍ବର୍ଣ୍ଣ ଜିତିବାରୁ ବଞ୍ଚିତ ହୋଇଛନ୍ତି । କ୍ୟାଡେଟ ବିଶ୍ବ ଚମ୍ପିଆନସିପ ଓ ଜୁନିୟର ବିଶ୍ବ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଦୀପକ ।
ତେବେ ସେ ପୂର୍ବରୁ ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇ ସାରିଛନ୍ତି । ଅଲମ୍ପିକ୍ସରେ ଦେଶକୁ ନିରାଶ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କୁସ୍ତିରେ ମସ୍କୋ 2010 ବିଶ୍ବ ଚମ୍ପିଆନସିପରେ ଷ୍ଟାର କୁସ୍ତିଯୋଦ୍ଧା ସୁଶୀଲ କୁମାର 66 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।