ହାଇଦ୍ରାବାଦ: ଆରମ୍ଭ ହେବାକୁ ଯାଉଛି କମନ ୱେଲଥ ଗେମ୍ସ (Commonwealth Games) । ଏଥିପାଇଁ ଆଥଲେଟିକ୍ସଙ୍କର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଜୁଲାଇ 28 ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା କମନ ୱେଲଥ ଗେମ୍ସରେ ଭାରତୀୟ ପ୍ରତିଯୋଗୀଙ୍କଠାରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତ ତରଫରୁ 200 ଅଧିକ ଆଥଲେଟିକ୍ସ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି । ଏହା ଭିତରୁ 5 କୁସ୍ତି ଖେଳାଳିଙ୍କ ଉପରେ ରହିଛି ସଭିଙ୍କ ନଜର ।
ରବି କୁମାର ଦହିୟା
ରବି କୁମାର ଦହିୟା ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଭାରତକୁ ଗୌରବାନ୍ବିତ କରିଥିଲେ । ପୁରୁଷ ବିଭାଗରେ 57 କିଲୋ ବର୍ଗର ରୁଷ ପ୍ରତିଯୋଗୀ ଜାବୁର ଉଗୁଏବଙ୍କଠୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଥିଲେ । କମନ ୱେଲଥ ଗେମ୍ସରେ ପୋଡିୟମରେ ଏକ ନମ୍ବର ସ୍ଥାନ ଅଧିକାର କରିବେ ବୋଲି ଆଶା ରହିଛି ।
ବଜରଙ୍ଗ ପୁନିଆ
ବଜରଙ୍ଗ ପୁନିଆ ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । କାଜାକସ୍ତାନର ପ୍ରତିଯୋଗୀ ଦୌଲଟ ନିୟାଜବେକୋବଙ୍କୁ ପରାସ୍ତ କରି ବ୍ରୋ଼ଞ୍ଜ ପଦକ ହାସଲ କରିଥିଲେ । ହରିୟାଣାର ଜଝର ଜିଲ୍ଲାର ଏହି କୁସ୍ତି ତାରକା କମନ ୱେଲଥ ଗେମ୍ସ ପୋଡିୟମରେ ତାଙ୍କର ସ୍ଥାନ ଆଉଟିକେ ଉପରକୁ ରହିବ ବୋଲି ଆଶା କରାଯାଉଛି ।
ବିନେଶ ଫୋଗଟ
କୁସ୍ତି ତାରକା ବିନେଶ ଫୋଗଟଙ୍କର ଟୋକିଓ ଅଲମ୍ପିକ୍ସରେ ପ୍ରଦର୍ଶନ ଫେଲ ମାରିଥିଲା । ସେ ମହିଳା ବିଭାଗର 53 କିଲୋ ବର୍ଗର କ୍ବାର୍ଟରଫାଇନାଲରେ ବେନେସା କଲାନ୍ଦଜିସ୍କାୟାଙ୍କଠୁ ପରାସ୍ତ ହୋଇଥିଲେ । 2018 ଏବଂ 2014 ମସିହା କମନ ୱେଲଥ ଗେମ୍ସରେ ସେ ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ଚଳିତ କମନ ୱେଲଥ ଗେମ୍ସ ସଂସ୍କରଣରେ ସେ ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ କରିବେ ବୋଲି ଆଶା କରାଯାଉଛି ।
ଅଂଶୁ ମଲ୍ଲିକ
ହରିୟାଣାର କୁସ୍ତି ତାରକା ଅଂଶୁ ମଲ୍ଲିକ ଟୋକିଓ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ଦେଖାଇ ପାରିନଥିଲେ । ପଦକ ହାସଲ କରିବାରେ ବିଫଳ ହୋଇଥିଲେ । ପରେ 2021 ମସିହା ଅକ୍ଟୋବରରେ ଅନୁଷ୍ଠିତ ହୋଇଥିବା ବିଶ୍ବ କୁସ୍ତି ଚମ୍ପିଆନସିପରେ ସେ ପ୍ରଥମ ଭାରତୀୟ ମହିଳା ଭାବରେ ରୌପ୍ୟ ପଦକ ହାସଲ କିରଥିଲେ । ସେହିପରି 2022 ମସିହା ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିବା ଏସିଆଇ କୁସ୍ତି ଚମ୍ପିଆନସିପରେ ମଧ୍ୟ ଭାରତ ତରଫରୁ ରୌପ୍ୟ ପଦକ ହାସଲ କରିଥିଲେ । ତେବେ ଦେଖିବାକୁ ବାକି ରହିଲା କି ସେ କମନ ୱେଲଥ ଗେମ୍ସ ଚଳିତ ସଂସ୍କରଣରେ ପଦକ ହାସଲ କରିବାର ସଫଳ ହେଉଛନ୍ତି କି ନାହିଁ ।
ଦୀପକ ପୁନିଆ
23 ବର୍ଷିୟା କୁସ୍ତି ତାରକା ଦୀପକ ପୁନିଆ ତାଙ୍କ ଆଥଲେଟିକ କ୍ୟାରିୟରେ ଏପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ ଜାରି କରିଆସିଛନ୍ତି । ଏସିଆଇ କୁସ୍ତି ଚମ୍ପିଆନସିପ 2022 ସଂସ୍କରଣରେ 86 କିଲୋ ଗ୍ରାମ ପୁରୁଷ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ତେଣୁ କମନ ୱେଲଥ ଗେମ୍ସରେ ତାଙ୍କର ଦମଦାର ପ୍ରଦର୍ଶନ ସହିତ ଦେଶ ତାଙ୍କ ପାଖରୁ ପଦକ ଆଶା ନିଶ୍ଚୟ ରଖିବ ।