ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨/୨୩ ପାଇଁ ମଙ୍ଗଳବାର କେନ୍ଦ୍ର ସରକାର କେନ୍ଦ୍ର ବଜେଟ ଉପସ୍ଥାପିତ କରିଛନ୍ତି । ବଜେଟ୍ରେ କ୍ରୀଡାକ୍ଷେତ୍ରକୁ ଅଧିକ ଫୋକସ କରିଛନ୍ତି ସରକାର । ଗତବର୍ଷ ତୁଳନାରେ ଅଧିକ ୩୦୦ କୋଟି ଟଙ୍କା କ୍ରୀଡାକ୍ଷେତ୍ରରେ ଖର୍ଚ୍ଚ ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ଏଯାବତ ଭାରତ ସରକାର କ୍ରୀଡା କ୍ଷେତ୍ର ପାଇଁ ଘୋଷଣା କରିଥିବା ବଜେଟ ମୂଲ୍ୟ ମଧ୍ୟରେ ଚଳିତ ଥର ସର୍ବାଧିକ ରହିଛି । ବଜେଟ୍ ୨୦୨୨-୨୩ରେ କ୍ରୀଡାକ୍ଷେତ୍ର ପାଇଁ ୩୦୬୨.୬୦ କୋଟି ଟଙ୍କା ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ଏହାମଧ୍ୟ ପଢନ୍ତୁ: Budget 2022: ୮୦ ଲକ୍ଷ ହିତାଧିକାରୀଙ୍କୁ ଘର ପାଇଁ ୪୮ ହଜାର କୋଟି
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ୍ ଭାଷଣରେ କ୍ରୀଡା ବିଷୟରେ ଉଲ୍ଲେଖ କରାଯାଇନଥିଲା, କିନ୍ତୁ ଅର୍ଥମନ୍ତ୍ରୀଙ୍କ ଭାଷଣରେ ଏହା ସ୍ପଷ୍ଟ ହୋଇଥିଲା । ୨୦୨୧-୨୨ରେ କ୍ରୀଡା ବଜେଟ୍ ରହିଥିଲା ୨୭୫୭.୦୨ କୋଟି । ଚଳିତ ବର୍ଷ କ୍ରୀଡା ବଜେଟ ୩୦୬୨.୬୦ କୋଟିକୁ ବୃଦ୍ଧି ପାଇଛି । ଫଳରେ କ୍ରୀଡା ବଜେଟ୍ରେ ୩୦୫.୫୮ କୋଟି ବୃଦ୍ଧି ହୋଇଛି । କ୍ରୀଡା ବଜେଟ୍ରେ ଉଲ୍ଲେଖ କରାଯାଇଥିବା ଅର୍ଥ ପରିମାଣ ରାଜ୍ୟଗୋଷ୍ଠୀ କ୍ରୀଡା, ଏସିଆନ ଗେମ୍ସ ପ୍ରସ୍ତୁତି ପାଇଁ ଖର୍ଚ୍ଚ ହେବ । ଚଳିତ ବର୍ଷ ଏହି ଦୁଇ ମେଗା ପ୍ରତିଯୋଗିତା ଅନୁଷ୍ଠିତ ହେବାନେଇ ସୂଚୀ ରହିଛି । ଏଥିସହ ବିଭିନ୍ନ ଖେଳ ମହାସଂଘକୁ ଆବଣ୍ଟିତ ହେବ ।
ଚଳିତ ବର୍ଷ ନ୍ୟାସନାଲ ୟୁଥ୍ ଏମ୍ପ୍ଲଏମେଣ୍ଟ ପ୍ରୋଗ୍ରାମ (National Youth Empowerment Program) ପାଇଁ ବ୍ୟୟବରାଦ ହୋଇଥିବା ଅର୍ଥ ପରିମାଣରେ ବୃଦ୍ଧି ହୋଇଛି । ଗତବର୍ଷ ଏହା ୧୦୮ କୋଟି ରହିଥିଲା, ମାତ୍ର ଏଥର ୧୩୮ କୋଟି ରହିଛି । ଖେଲୋ ଇଣ୍ଡିଆ (Khelo India) ପ୍ରୋଗ୍ରାମରେ ଖର୍ଚ୍ଚ ହେବାକୁ ଥିବା ଅର୍ଥରାଶିରେ ମଧ୍ୟ ବୃଦ୍ଧି ହୋଇଛି । ଗତବର୍ଷ ୮୭୯ କୋଟି ରହିଥିଲା, ଏଥିର ଏହି ପରିମାଣରେ ବୃଦ୍ଧି ସହ ୯୭୪ କୋଟି ଟଙ୍କା ରହିଛି ।
ନଜର ପକାନ୍ତୁ ଗତ କିଛି ବର୍ଷରେ କ୍ରୀଡା ବଜେଟ୍(ଆନୁମାନିକ) ଉପରେ:
- ୨୦୧୨-୨୦୧୩- ୧୧୫୨ କୋଟି
- ୨୦୧୩-୨୦୧୪- ୧୨୧୯ କୋଟି
- ୨୦୧୪-୨୦୧୫- ୧୭୬୯ କୋଟି
- ୨୦୧୭-୨୦୧୮- ୧୯୪୩ କୋଟି
- ୨୦୧୮-୨୦୧୯- ୨୧୯୭ କୋଟି
- ୨୦୧୯-୨୦୨୦-୨୭୭୬ କୋଟି
- ୨୦୨୦-୨୦୨୧- ୨୮୨୬ କୋଟି
- ୨୦୨୧-୨୦୨୨-୨୫୯୬ କୋଟି