ପୁରୀ: ଆରମ୍ଭ ହେଲା ଅଲ୍ ଓଡିଶା କବାଡି ଚମ୍ପିୟାନସିପ୍ ୨୦୨୨ । ବ୍ଲୁ ଫ୍ଲାଗ ବିଚ୍ରେ ଉଦ୍ଘାଟିତ ହୋଇଥିବା ଏହି ରାଜ୍ୟସ୍ତରୀୟ ଚମ୍ପିୟାନସିପ 3 ଦିନ ଧରି ଅନୁଷ୍ଠିତ ହେବ। ଆସନ୍ତା 3 ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ପ୍ରଥମେ ଲିଗ ପରେ ନକ୍ଆଉଟ ମ୍ୟାଚ୍ ପରେ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ହେବ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି।
ଓଡିଶା କବାଡି ଆସୋସିଏସନ, ପୁରୀ ଜିଲ୍ଲା କ୍ରୀଡା ବିଭାଗର ମିଳିତ ଅନୁକୂଲ୍ୟରେ ଏହି ରାଜ୍ୟସ୍ତରୀୟ ଚମ୍ପିୟାନସିପ ଅନୁଷ୍ଠିତ ହେଉଛି । ଉଭୟ ପୁରୁଷ ଓ ମହିଳା ଟିମ ଏଥିରେ ଭାଗ ନେଇ ଥିବା ବେଳେ ଓଡ଼ିଶାର ଶ୍ରେଷ୍ଠ 8ଟି ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ ସାମିଲ ହୋଇଛନ୍ତି ।
ସେପଟେ ଓଡିଶା ସରକାର ଯେଭଳି କ୍ରୀଡାକୁ ରାଜ୍ୟରେ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ବ ଦେଉଛନ୍ତି ଏହା ଦ୍ବାରା ରାଜ୍ୟରୁ ଅନେକ କ୍ରୀଡା ପ୍ରତିଭା ଆଗାମୀ ଦିନରେ ବାହାରି ରାଜ୍ୟର ଗୌରବ ରଖିବେ ବୋଲି ପୁରୀ ଜିଲ୍ଲା କ୍ରୀଡା ସଂସଦ କହିଛି । କବାଡି ଖେଳ ପୁରୀରେ ବେଶ ଲୋକପ୍ରିୟ ଥିବାରୁ ଏହି ରାଜ୍ୟସ୍ତରୀୟ କବାଡି ଚାମ୍ପିୟନସିପ୍ ଆଗାମୀ ଦିନରେ ପୁରୀରେ କବାଡି ଖେଳକୁ ଆହୁରି ଆଗକୁ ନେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଶା ପ୍ରକାଶ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ