ଇପୋ (ମାଲେସିୟା): ଭାରତର ଲଗାତାର 3ୟ ବିଜୟ । ବୁଧବାର 7-3 ର ବୃହତ ବ୍ୟବଧାନରେ କାନାଡାକୁ ମାତ ଦେଇଛି ମନପ୍ରୀତ ସିଂଙ୍କ ଦଳ । ମ୍ୟାଚରେ ଷ୍ଟାଇକର ମନଦୀପ ସିଂହ ହ୍ୟାଟ୍ରିକ ଗୋଲ ଦେଇ ଭାରତକୁ ଏହି ବିଶାଳ ବିଜୟ ଭେଟି ଦେଇଛନ୍ତି । ତେବେ ଲଗାତାର3ୟ ବିଜୟ ସହ ଭାରତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉଠିଛି ।
ତେବେ 24 ବର୍ଷିୟ ମନଦୀପ ଲଗାତାର କାନାଡାର ଗୋଲ ପୋଷ୍ଟ ଉପରେ ବର୍ଷି ମ୍ୟାଚର 20ତମ, 27ତମ ଓ 29ତମ ମିନିଟରେ ଗୋଲ ହିଟ କରିଥିଲେ । ସେହିପରି ମ୍ୟାଚର 12ତମ ମିନିଟରେ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ବରୁଣକୁମାର । ତେବେ ଏହି ହାଇ ସ୍କୋରିଂ ମ୍ୟାଚରେ ହ୍ୟାଟ୍ରିକ ଗୋଲ ଦେଇଥିବାରୁ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତିମନଦୀପ ।
ତେବେ ପ୍ରଥମାର୍ଦ୍ଧ ସୁଦ୍ଧା କାନାଡା କୌଣସି ଗୋଲ ହିଟ କରିପାରି ନଥିଲା । ଫଳରେ ହାପ ଟାଇମରେ ଭାରତ 4-0 ଗୋଲରେ ଆଗୁଆ ଚାଲୁଥିଲା । ମାତ୍ର 3ୟ କ୍ବାର୍ଟର ଆରମ୍ଭରୁ କାନାଡା ତାର ରଣନୀତି ବଦଳାଇ ଭାରତ ଉପରକୁ ଘନଘନ ଆକ୍ରମଣ କରିଥିଲା । ୩୫ତମ ମିନିଟରେ କ୍ୟାନାଡାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ମାର୍କ ପିଅର୍ସନ ଗୋଲରେ ପରିଣତ କରିଥିଲେ।
ପରେ ଭାରତ ବି ପାଲାଟା ଆକ୍ରମଣ କରି କାନାଡାର ଗୋଲ ପୋ।ଷ୍ଟ ଉପରେ ବର୍ଷିଥିଲା । ମ୍ୟାଚର 39ତମ ମିନିଟରେ ଓଡିଶାର ଅମିତ ରୋହିଦାସ ଗୋଲ ହିଟ କରିଥିଲେ । ପରେ ପରେ ବିବେକ ପ୍ରସାଦ (୫୫ତମ) ଓ ନୀଳକଣ୍ଠ ଶର୍ମା (୫୮ତମ) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।
ସୂଚନଥାଉ କି, ଗତକାଲି ଭାରତ ୪-୨ ଗୋଲରେ ଆୟୋଜକ ମାଲେସିୟାକୁ ପରାସ୍ତ କରିଥିଲା। ସେହିପରି ପ୍ରଥମ ମ୍ୟାଚରେ ଜାପାନକୁ 2-0 ଗୋଲରେ ମାତ ଓ କୋରିଆ ବିପକ୍ଷ ମ୍ୟାଚକୁ 1-1ରେ ବରାବର ରଖିଥିଲା । ଆସନ୍ତା ୨୯ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ପୋଲାଣ୍ଡକୁ ଭେଟିବ।