ଭୁବନେଶ୍ବର: ପୁଣି ଭୁବନେଶ୍ବରକୁ ଫେରିଲା ହକି ଫିଭର । ଦର୍ଶକଙ୍କ ସ୍ବରରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଚଳିକ ବର୍ଷ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଜୁନିଅର ହକି ବିଶ୍ୱକପ । ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ ଖେଳାଯିବ । ଆୟୋଜକ ଭାରତକୁ ମିଶାଇ ୧୬ ଟି ଦେଶ ଏହି ଇଭେଣ୍ଟରେ ଭାଗନେବେ। ପୂର୍ବରୁ ଏହା ଆସାମର ଗୌହାଟୀରେ ଆୟୋଜନ ହେବାକୁ ଥିବା ବେଳେ ମହାମାରୀ କୋରୋନା ଏବଂ ବିଶ୍ୱକପ ପାଇଁ ଭିତ୍ତିଭୂମିର ଅଭାବ ଯୋଗୁଁ ଆସାମ ସରକାର ଏହାକୁ ଆୟୋଜନ କରିବାକୁ ମନା କରିଥିଲେ। ତେବେ ଆସାମ ମନା କରିବା ପରେ ଏହା ଓଡ଼ିଶାରେ ଆୟୋଜିତ ହେବ।
ସେହିପରି ଅଷ୍ଟ୍ରେଲିଆ, ନ୍ୟୁଜଲାଣ୍ଡ ପରି ଶକ୍ତିଶାଳୀ ଦଳ ମହାମାରୀ କୋରୋନା କାରଣରୁ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଇଂଲଣ୍ଡ ଦଳ ଯୋଗଦାନକୁ ନେଇ ମଧ୍ୟ ଅନିଶ୍ଚିତତା ରହିଛି। ନ୍ୟୁଜଲାଣ୍ଡ ଏବଂଅଷ୍ଟ୍ରେଲିଆ ସ୍ଥାନରେ କାନାଡ଼ା ଏବଂ ଆମେରିକା ଏହି ଜୁନିଅର ହକି ବିଶ୍ୱକପରେ ଅଂଶଗ୍ରହଣ କରିବେ। ଏହି ବିଶ୍ୱକପ ପ୍ରସ୍ତୁତି ଆରମ୍ଭ କରିଛି ଭାରତ । ଏନେଇ ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ଜୁନିଅର ବିଶ୍ୱକପ ପାଇଁ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି 10 ଓଡ଼ିଆ । ଯେଉଁଥିରେ କି ପୁରୁଷଙ୍କ ମଧ୍ୟରେ ସୁଦୀପ ଚିରମାକୋ, ଅଭିଷେକ ଲାକ୍ରା, ସୁନୀଲ ଜୋଜୋ, ଶ୍ରୀଲ ଲୁଗୁନ, ସାହିଲ ନାୟକ, ଗ୍ରେଗୋରୀ ଖେସ ଏବଂ ନବୀନ କୁଜୁର ରହିଛନ୍ତି । ସେହିପରି ମହିଳାଙ୍କ ମଧ୍ୟରେ ଆଜମିନା କୁଜୁର, ଜୀବନ ଜ୍ୟୋତି ଟପୋ ଏବଂ ମାରିଆନା କୁଜୁର ରହିଛନ୍ତି ।
ଜୁନିଅର ବିଶ୍ୱକପ ପାଇଁ ପୁରୁଷ ଦଳରେ ୪-୫ ଜଣ ଓଡ଼ିଆ ସ୍ଥାନ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସର୍ବାଗ୍ରେ ରହିଛନ୍ତି ୨୦୧୮ ଜୁନିଅର ଅଲମ୍ପିକ ରୌପ୍ୟ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ସୁଦୀପ ଚିରମାକୋ । ସୁଦୀପ ଫରୱାର୍ଡ଼ ଭାବେ ଦଳରେ ଖେଳୁଥିବା ବେଳେ ଗ୍ରଗୋରି ମିଡିଫିଲଡର ଭାବେ ଦଳରେ ଖେଳୁଛନ୍ତି । ସେହିପରି ଅଭିଷେକ ଏବଂ ନବୀନ ଡ଼ିଫେଣ୍ଡର ଭାବେ ଖେଳୁଥିବା ବେଳେ ସୁନୀଲ ଏବଂ ଶ୍ରୀଲ ଡ଼ିଫେଣ୍ଡର କମ ମିଡ଼ଫିଲଡ଼ର ଭାବେ ଖେଳିଥାନ୍ତି । ଏହି ବିଶ୍ୱକପର ଡ଼ିଫେଣ୍ଡିଙ୍ଗ ଚମ୍ପିଆନ ଭାରତ ।
୨୦୧୬ରେ ଲକ୍ଷ୍ନୌରେ ଖେଳାଯାଇଥିବା ଜୁନିଅର ହକି ବିଶ୍ୱକପ ଫାଇନାଲରେ ବେଲଜିୟମକୁ ୨-୧ ରେ ହରାଇ ଚାମ୍ପିଆନ ହୋଇଥିଲା ଭାରତ। ୨୦୧୬ ଜୁନିଅର ବିଶ୍ୱକପ ବିଜେତା ଦଳର ଅଧିକାଂଶ ସଦସ୍ୟ ଏବେ ସିନିଅର ଦଳରେ ସ୍ଥାନ ପାଇ ସାରିଛନ୍ତି । ସେହିପରି ୨୦୦୧ରେ ମଧ୍ୟ ଏହି ବିଶ୍ୱକପ ଭାରତ ଜିତିଛି । ଜର୍ମାନୀ ସର୍ବାଧିକ ୬ ଥର ଏହି ଜୁନିଅର ହକି ବିଶ୍ୱକପ ଜିତିଛି । ଅଷ୍ଟ୍ରେଲିଆ ଓହରିଯିବା ପରେ ଚଳିତ ବର୍ଷ ଏହି ବିଶ୍ୱକପ ଜିତିବା ପାଇଁ ପ୍ରମୁଖ ଦାବିଦାର ହେଉଛନ୍ତି ଭାରତ ଏବଂ ବେଲଜିୟମ । ଏସିଆନ ଅଥଲେଟିକ ଚାମ୍ପିୟାନସିପ, ହକି ବିଶ୍ୱକପ ପରେ ଏହା ହେଉଛି ଓଡ଼ିଶାରେ ଆୟୋଜିତ ହେଉଥିବା ଅନ୍ୟ ଏକ ମେଗା କ୍ରୀଡା ଇଭେଣ୍ଟ । ମହାମାରୀ କୋରୋନା ସମୟରେ ଏହା ହେଉଥିବାରୁ ଏହାକୁ ଆୟୋଜନ କରିବା ଚ୍ୟାଲେଞ୍ଜିଂ ରହିବ । ଏହା ସହ ପଡିଆ ମଧ୍ୟକୁ ଦର୍ଶକଙ୍କ ପ୍ରବେଶ ଅନୁମତି ମିଳିବ କି ନାହିଁ ଏବଂ ଯଦି ମିଳିବ କଣ କଣ ସ୍ୱତନ୍ତ୍ର ଗାଇଡ଼ ଲାଇନ ରହିବ ତାହା ଉପରେ ଏବେ ନଜର ରହିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ