ଭୁବନେଶ୍ବର: ଏଫ୍ଆଇଏଚ୍ ପ୍ରୋ ଲିଗରେ ରବିବାର ଦିନ ଭାରତ-ବେଲଜିୟମ ମଧ୍ୟରେ 2ୟ ମ୍ୟାଚ ଖେଳାଯାଇଛି । ଏହି ମ୍ୟାଚଟିକୁ ଜିଣି ନେଇଛି ବିଶ୍ବର ନଂ 1 ଟିମ ବେଲଜିୟମ । କଳିଙ୍ଗ ଷ୍ଟାଡିୟମରେ ଭାରତକୁ2-3ଗୋଲ୍ରେ ମାତ୍ ଦେଇଛି ଭ୍ରମଣକାରୀ ଟିମ । ଉଭଯ ଦଳରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା ।
ଖେଳର ପ୍ରଥମାର୍ଦ୍ଧରେ ଭାରତ 2ଟି ଗୋଲ୍ ଦେଇଥିବାବେଳେ ବେଲଜିୟମ 3ଟି ଗୋଲ୍ ଦେଇଥିଲା । ଦ୍ବିତୀୟାର୍ଦ୍ଧରେ ଉଭୟ ଦେଶ କୌଣସି ଗୋଲ୍ କରି ନଥିଲେ ।
ଖେଳର ପ୍ରଥମ 3ମିନିଟ୍ରେ ବେଲଜିୟମ ପ୍ରଥମ ଗୋଲ୍ କରିଥିଲା । ଏହା ପରେ ଭାରତ ମ୍ୟାଚର 15ମିନିଟ୍ରେ ଗୋଲ୍ କରି ସ୍କୋରକୁ ବରାବରକୁ ଆଣିଥିଲା । ଏହାପରେ ତୁରନ୍ତ ଓଡିଶାର ଷ୍ଟାର ଖେଳାଳି ଅମିତ ରୋହିଦାସ 17ମିନିଟ୍ରେ ଗୋଲ୍ କରି 2-1କୁ ସ୍କୋର ଆଣିଥିଲେ । ବିପକ୍ଷ ଦଳ ତୁରନ୍ତ ଭାରତକୁ ଆଉ ଏକ ଗୋଲ୍ ଦେଇ ସ୍କୋରକୁ 2-2କୁ ଆଣିଥିଲା । ଏହାପରେ ବେଲଜିୟମ୍ ଟିମ ମ୍ୟାଚର 26ମିନିଟ୍ରେ ଗୋଲ୍ କରି 3-2ରେ ଆଗୁଆ ରହି ମ୍ୟାଚକୁ ଜିଣି ନେଇଛି । ବେଲଜିୟମ ଟିମର ନିକଲୋସ ଦେଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ମିଳିଛି ।
ଭାରତୀୟ ଟିମର ଅଧିନାୟକ ମନପ୍ରୀତ ସିଂ କହିଛନ୍ତି ଯେ, ବେଲଜିୟମ ସହ 2ଟି ମ୍ୟାଚରେ ଆମେମାନଙ୍କୁ ବହୁତ କିଛି ଶିକ୍ଷିବାକୁ ମିଳିଛି । ଆମକୁ ଭଲ ସୁଯୋଗ ମିଳିଥିଲା କିନ୍ତୁ ସବୁ ସୁଯୋଗକୁ ଗୋଲ୍ରେ ପରିଣତ କରି ପାରିଲୁ ନାହିଁ । କିନ୍ତୁ ମୋ ଦଳ ପାଇଁ ମୁଁ ଗର୍ବିତ । ଆମେମାନେ ଭଲ କାଉଣ୍ଟର ଆଟାକ୍ କରିଥିଲୁ । ଆମେ ଆମର ଖେଳକୁ ଆହୁରି ସୁଧାରିବୁ ।
ଶନିବାର ଦିନ ବେଲଜିୟମକୁ 2-1ଗୋଲ୍ରେ ମାତ ଦେଇଥିଲା ମନପ୍ରୀତ ବାହିନୀ । ଏଫ୍ଆଇଏଚ୍ ପ୍ରୋ ଲିଗର ପଏଣ୍ଟ ଟେବୁଲରେ ଭାରତ 8 ପଏଣ୍ଟ ସହ 2ୟ ସ୍ଥାନରେ ରହିଛି । ବେଲଜିୟମ 14 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛି ।