ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଥିବା ହିରୋ ସୁପର କପ ଫୁଟବଲ ନେଇ ଏବେବି ଅନିଶ୍ଚିତତା ଜାରି ରହିଛି । ଗତ 15 ତାରିଖଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟ ମ୍ୟାଚ ଶୁକ୍ରାବାଠାରୁ ଆରମ୍ଭ ହେବାକୁ ଯାଉଛି ।
ଆଜିର ମ୍ୟାଚ ଚେନ୍ନାଇ ଏଫସି ଓ ମୁମ୍ବାଇ ଏଫସି ମଧ୍ୟରେ ଖେଳା ଯିବାକୁ ଥିବା ବେଳେ ଏନେଇ ଗତକାଲି ଖେଳ ପୂର୍ବ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ଦୁଇଟି ମ୍ୟାଚ ପାଇଁ ଆଜି ଖେଳ ପୂର୍ବ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବାର ଥିଲା । ଏଥିରେ 3ଟି ଦଳ ଏଫସି ଗୋଆ, ଇଣ୍ଡିଆନ ଆରୋଜ ଓ ଦିଲ୍ଲୀ ଡାଇନୋମ୍ସ ଯୋଗ ଦେଇ ନିଜର ପ୍ରସ୍ତୁତି ଉପରେ ଅବଗତ କରାଇଥିଲେ । କିନ୍ତୁ ଅନ୍ୟତମ ଦଳ ଭାବେ ଭାଗ ନେଉଥିବା ଇଷ୍ଟ ବେଙ୍ଗଲ ଆଜିର ସାମ୍ବାଦିକ ସମ୍ମିଳନୀକୁ ଆସିନଥିଲା । ଯାହା ଫଳରେ ଖେଳ ଆରମ୍ଭରୁ ଦେଖାଦେଇଥିବା ଏହି ସମସ୍ୟା ପୁଣି ଥରେ ମୁଣ୍ଡ ଟେକିଛି । ଯାହାଫଳରେ ଆଗକୁ ଥିବା ସମସ୍ତ ମ୍ୟାଚ ଖେଳାଯିବ ନେଇ ସନ୍ଦେହ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ କି, ପ୍ରତିଯୋଗିତା ଆରମ୍ଭ ହେବା ନେଇ ଘୋଷଣା ହେବା ପରେ ଆଇ-ଲିଗର କ୍ଲବ ଗୁଡିକ କେତେକ କାରଣ ଦର୍ଶାଇ ଏହାକୁ ବର୍ଜନ କରିବାକୁ ଘୋଷଣା କରିଥିଲେ । ଫଳରେ ସେମାନେ ଭେନ୍ୟୁରେ ଥାଇ ମଧ୍ୟ କ୍ବାଲିଫାଇ ମ୍ୟାଚ ଖେଳି ନ ଥିଲେ । ଏହା ମଧ୍ୟରେ ସେମାନଙ୍କ ସହିତ ଏଆଇଏଫଏଫର ଅଧିକାରୀ ଆଲୋଚନା ହୋଇ ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଥିଲା । ତେବେ ଆଜିର ଘଟଣାରୁ ଏଥିରେ ଆଶଙ୍କା ପ୍ରକାଶ ପାଇଛି । ଏତେ ସବୁ ସମସ୍ୟା ସତ୍ତ୍ୱେ ଭାରତୀୟ ଫୁଟବଲ ଫେଡରେସନର କୌଣସି ଅଧିକାରୀ ମିଡିଆ ସମ୍ମୁଖକୁ ଆସି ଏହାର ଉତ୍ତର ରଖୁ ନଥିବା ଆହୁରୁ ଦ୍ଵନ୍ଦ୍ବସୃଷ୍ଟି କରିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ନ୍ୟୁଜ