ମୁମ୍ବାଇ: ମେଲବର୍ଣ୍ଣରେ ବିରାଟ ବିଜୟ । ବିରାଟ କୋହଲିଙ୍କ ଲଢୁଆ ୮୨ ରନର ଇନିଂସ ବଳରେ ଭାରତ ଟି୨୦ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି । ଏହା ସହିତ ବିରାଟ କୋହଲି ତାଙ୍କ ଫ୍ୟାନ୍ସମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ତେବେ ମ୍ୟାଚ ବିଜୟ ପରେ ମେଲବର୍ଣ୍ଣରୁ ଭାରତ, ସବୁଠି ଦେଖାଦେଇଛି ସେଲିବ୍ରେସନର ମାହୋଲ । ଏହାରି ଭିତରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, " ବିରାଟ କୋହଲିଙ୍କ ଇନିଂସ ପରେ ସେ ବହୁତ ପ୍ରଫୁଲ୍ଲ ଅଛନ୍ତି । ବିରାଟଙ୍କ ଲଢୁଆ ଇନିଂସ ବଳରେ ଭାରତ ଚୀର ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ୪ ୱିକେଟରେ ବିଜୟ ହାସଲ କରିଛି ।"
ଅନୁଷ୍କା ଶର୍ମା ଏକ ଏନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି, "ତୁମେ ସୁନ୍ଦର । ଦୀପାବଳୀ ପୂର୍ବରୁ ତୁମେ ଆଜି ରାତିରେ ସମସ୍ତଙ୍କ ଜୀବନରେ ଆନନ୍ଦ ଭରି ଦେଇଛ । ମୋ ପ୍ରେମ, ତୁମେ ଜଣେ ଅସାଧାରଣ ବ୍ୟକ୍ତିତ୍ବ । ତୁମର ଧର୍ଯ୍ୟ, ନିଷ୍ଠା ଏବଂ ବିଶ୍ବାସ ଯାହା ତୁମକ ଅସାଧାରଣ କରିପାରିଛି । ମୁଁ ମୋ ଜୀବନରେ ସର୍ବଶ୍ରେଷ୍ଠ ମ୍ୟାଚ ଦେଖିବାକୁ ପାଇଲି । ଆମ ଝିଅ ଏତେ ଛୋଟ ଯେ ହୁଏ ତ ସେ ଜାଣିନପାରେ କି ତା ମାଆ ଏକ କଠୋରୀ ଭିତରେ କାହିଁକି ଚିତ୍କାର କରି ନାଚୁଥିଲା । ହେଲେ ପରେ ପରେ ବୁଝିପାରିବ କି ତା ବାପା ସେହି ରାତିରେ ତାଙ୍କର ସର୍ବତ୍ତୋମ ଇନିଂସ ଖେଳିଥିଲେ । ଯାହା ତାଙ୍କ ପାଇଁ ବହୁତ କଠିନ ଥିଲା । ହେଲେ ସେ ଏତେ ଶକ୍ତିଶାଳୀ ଯେ ତାଙ୍କର ବୁଦ୍ଧି ବଳରେ ସେ ସେହି ପରିସ୍ଥିତି ମୁକାବିଲା କରି ସେଥିରେ ବିଜୟ ଲାଭ କରିଥିଲେ । ତେଣୁ ମୁଁ ତୁମ ପାଇଁ ଗର୍ବିତ । ତୁମେ ମୋର ସାହାସ । ତୁମେ ମୋ ପ୍ରେମ ।"
ଷ୍ଟାର ବ୍ୟାଟର ବିରାଟ କୋହଲି ୧୦୨୧ ଦିନ ପରେ ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଶତକୀୟ ଇନିଂସ ଖେଳି ତାଙ୍କର ଦମଦାର ଫର୍ମକୁ ଫେରିଥିଲେ । ସେ ତାଙ୍କର ଦମଦାର ଫର୍ମ ଜାରି ରଖି ଭାରତ ପାଇଁ ଆଜି ସଙ୍କଟମୋଚକ ସାଜିଥିଲେ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା ଭାରତ ପାକିସ୍ତାନ ମଧ୍ୟରେ କଡା ଟକ୍କର । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଥିଲା । 160 ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ ।
ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଟାର୍ଗେଟ ହାସଲ କରିଥିଲା । ଦଳ ୩୧ ରନରେ ୪ ୱିକେଟ ହରାଇ ସାରିଥିଲା । ଏହା ପରେ ଦଳୀୟ ସ୍କୋର ପାଇଁ ଚାପ ପଡିଥିଲା । ଆତ୍ମବିଶ୍ବାସର ସହିତ ବ୍ୟାଟିଂ ଜାରି ରଖିଥିଲେ ବିରାଟ । ତାଙ୍କ ସହିତ ପାଳି ଦେଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବିରାଟ କୋହଲି ୫୩ ବଲରୁ ୬ଟି ଚୌକା ଏବଂ ୪ଟି ଛକା ସହିତ ୮୨ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୭ ବଲରୁ ୪୦ ରନର ଇନିଂସ ଖେଳିଥିଲେ ।