ଲଣ୍ଡନ: ଆଜିଠାରୁ ଆରମ୍ଭ ହେଉଛି ବିଶ୍ବ ଟେଷ୍ଟ୍ ଚମ୍ପିଆନ୍ସିପ୍ ଫାଇନାଲ୍ । ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ତେବେ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଟ୍ରଫି ହାସଲ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛନ୍ତି ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଟିମ୍ । ଏହି ହାଇ ପ୍ରୋଫାଇଲ୍ ଫାଇନାଲ୍ ମ୍ୟାଚ୍ ଉପରେ ରହିଛି ସାରା ବିଶ୍ବର କ୍ରିକେଟ୍ ପ୍ରେମୀଙ୍କ ନଜର ।
ବିଶ୍ବ ଟେଷ୍ଟ୍ ଚମ୍ପିଆନ୍ସିପ୍ ଫାଇନାଲ୍ ପାଇଁ ଦୁଇ ଦଳ ଜୋରଦାର ରଣନୀତି ପ୍ରସ୍ତୁତ କରି ମୈଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ଏହି ଐତିହାସିକ ଓଭାଲ ଗ୍ରାଉଣ୍ଡ ସହ ବେଶ ପରିଚିତ । ଏଠାରେ ଦଳ ପୂର୍ବରୁ ୩୮ଟି ମ୍ୟାଚ ଖେଳି ସାରିଛି । ଭାରତ ତୁଳନାରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିଭାଗ ମଧ୍ୟ ବେଶ ଶକ୍ତିଶାଳୀ ମନେ ହେଉଛି । ଡେଭିଡ ୱାର୍ଣ୍ଣର, ଉସମାନ ଖ୍ୱାଜା, ମାର୍ନସ ଲାବୁସାନ୍, ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ ହେଡ୍, କାମେରନ ଗ୍ରୀନଙ୍କୁ ନେଇ କଙ୍ଗାରୁ ଦଳର ବ୍ୟାଟିଂ ବିଭାଗ ବେଶ ସୃଦୁଢ ରହିଛି । ପ୍ରଥମ ପାଳିରେ ଇନ୍ ଫର୍ମ୍ ଭାରତୀୟ ବୋଲର ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କ ଉପରେ ରହିଛି ନଜର ।
ଭାରତ ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଶ୍ରୀକର ଭରତ (ୱିକେଟ ରକ୍ଷକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ
ଅଷ୍ଟ୍ରେଲିଆ ଚୂଡ଼଼ାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର, ଉସମାନ୍ ଖାୱଜା, ମାର୍ନସ ଲାବୁସନ, ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ ହେଡ୍, କାମେରନ ଗ୍ରୀନ, ଆଲେକ୍ସ କ୍ୟାରୀ (ୱିକେଟ ରକ୍ଷକ), ପାଟ୍ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ସ୍କଟ୍ ବୋଲାଣ୍ଡ
'ଦ ଓଭାଲ' ପିଚ ରିପୋର୍ଟ: WTC ଫାଇନାଲ ଆରମ୍ଭ ହୋଇଥିବା 'ଦ ଓଭାଲ ପିଚ୍'ରେ ସବୁଜ ଘାସ ରଖାଯାଇଛି, ଯାହା ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି ପୂର୍ବତନ କ୍ରିକେଟର ମତ ରଖିଛନ୍ତି । ଅଧିକାଂଶ ବଲ ବାଉନ୍ସ ହେବ ଏବଂ ଭଲ ସୁଇଂ ଦେଖିବାକୁ ମିଳିବ । ପିଚ୍ରେ ବଲ ସହଜରେ ବ୍ୟାଟକୁ ଆସିବ ଏବଂ ଭଲ ରନ ମଧ୍ୟ ହେବ । ଇଂଲଣ୍ଡର ଏହି ପିଚ୍ରେ ପ୍ରଥମ ପାଳିର ହାରାହାରି ସ୍କୋର ୩୪୩ ରନ ରହିଥିବା ବେଳେ ଦ୍ବିତୀୟ ପାଳିରେ ହାରାହାରି ସ୍କୋର ୩୦୪ ରନ ହୋଇଥାଏ । ସେହିଭଳି ତୃତୀୟ ପାଳିରେ ୨୩୮ ଓ ଚତୁର୍ଥ ପାଳିରେ ୧୫୬ ହାରାହାରି ରନ୍ ସ୍କୋର ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ