ଲଣ୍ଡନ: ଆଜିଠାରୁ ଲଣ୍ଡନର 'ଦ ଓଭାଲରେ' ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ୍ ଚମ୍ପିଆନ୍ସିପ୍ ଫାଇନାଲ ମ୍ୟାଚ୍ । ପ୍ରଥମ ଦିନର ଖେଳ ଶଏଷ ସୁଦ୍ଧା ମଜବୁତ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ । ଟ୍ରାବିସ୍ ହେଡ୍ ଦୃତ ଶତକ ସହ ପିଚ୍ରେ ମହଜୁଦ ରହିଥିବା ବେଳେ ୯୫ ରନ କରି ଭାରତର ଚାପ ବଢ଼ାଇଛନ୍ତି ଷ୍ଟେଭ୍ ସ୍ମିଥ୍ । ସେପଟେ ମହମ୍ମଦ ସିରାଜ, ମହମ୍ମଦ ସାମି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ମିଳିଛି ଗୋଟିଏ ଲେଖାଏଁ ସଫଳତା ।
ଆଜୁ ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ୍ ଚମ୍ପିଆନ୍ସିପ୍ ଫାଇନାଲ ମ୍ୟାଚ୍ । ଲଣ୍ଡନର ' ଦ ଓଭାଲ'ରେ ଆରମ୍ଭ ହୋଇଥିବା ଏହି ହାଇପ୍ରୋଫାଇଲ ଫାଇନାଲ୍ ମ୍ୟାଚ୍ ଉପରେ ରହିଛି ସାରା ବିଶ୍ବ କ୍ରିକେଟ୍ ପ୍ରେମୀଙ୍କ ନଜର । ତେବେ ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପ୍ରଥମ ଦିନ ଖେଳ ଆରମ୍ଭ ପୂର୍ବରୁ ଏହି ବାଲେଶ୍ବର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତାହତଙ୍କ ଉଦ୍ଦେଶ୍ୟରେ କିଛି ସମୟ ନୀରବ ପ୍ରାର୍ଥନା କରି ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ସମସ୍ତ ଖେଳାଳୀ । ଏହା ସହିତ ଉଭୟ ଦଳର ଖେଳାଳୀ ମାନେ ଆଜି ହାତରେ କଳା ବ୍ୟାଚ୍ ପରିଧାନ କରି ମୈଦାନକୁ ଓହ୍ଲାଇଥିଲେ ।
ତେବେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିବା କଙ୍ଗାରୁ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ମଜବୁତ ସ୍ଥିତିରେ ରହିଛି । ଉସ୍ମାନ ଖାୱଜା ପ୍ରଥମରୁ ଭଲ ଆରମ୍ଭ ଦେଇ ପାରିନଥିଲେ । ୧୦ ବଲ ଖେଳି ଖାତା ଖୋଲିବା ଆଗରୁ ମହମ୍ମଦ ସିରାଜଙ୍କ ବଲରେ ୱିକେଟ ରକ୍ଷକ ଶ୍ରୀକର ଭରତଙ୍କ ହାତରେ ସେ ଧରା ପଡ଼ି ପାଭିଲିୟନ ଫେରିଥିଲେ । ଏହାପରେ ମାର୍ନସ ଲାବୁସାନେଙ୍କ ସହ ଦୀର୍ଘ ସମୟ ପିଚ୍ରେ ରହି ସ୍କୋର ବୋର୍ଡକୁ ଗତି ଦେଇଥିଲେ ଡେଭିଡ୍ ୱାର୍ଣ୍ଣର । ସେ ୬୦ ବଲରୁ ୮ ଚୌକା ସହିତ ୪୩ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ୬୨ ବଲରୁ ୨୬ ରନ କରି ଲାବୁସାନେ ମଧ୍ୟ ଫେରିଯାଇଥିଲେ । ତେବେ ଷ୍ଟେଭ୍ ସ୍ମିଥ୍ ଓ ଟ୍ରାବିସ୍ ହେଡ୍ ଦଳକୁ ମଜବୁତ ସ୍ଥିତିକୁ ନେଇଛନ୍ତି । ମାତ୍ର ୧୫୬ ବଲରୁ ଦୃତ ୧୪୬ ରନ ସଂଗ୍ରହ କରିଛନ୍ତି ଟ୍ରାବିସ୍ ହେଡ୍ । ସେପଟେ ସ୍ମିଥ୍, ୨୭୭ ବଲ ସାମ୍ନା କରିଥିବା ବେଳେ ୯୫ ରନ କରି ପିଚ୍ରେ ଦୃଢ଼ ଅଛନ୍ତି । ସେପଟେ ଭାରତୀୟ ବୋଲରଙ୍କୁ ଆଜି ଆଶାନୁରୂପ ସଫଳତା ମିଳିନଥିଲା । କେବଳ ମହମ୍ମଦ ସିରାଜ, ମହମ୍ମଦ ସାମି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ