ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା କମେଣ୍ଟେଟର ସୁନୀଲ ଗାଭାସ୍କର ନିଜ ବୟାନ ପାଇଁ ବେଶ ଜଣାଶୁଣା । ତେବେ ଜାରି ରହିଥିବା ବିଶ୍ବକପ୍ରେ ଚମତ୍କାର ପ୍ରଦର୍ଶନ କରୁଥିବା ଭାରତୀୟ ଟିମର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ବିରାଟ ନିଜର ୪୯ତମ ଶତକ ଓ ଶତକର ଅର୍ଦ୍ଧଶତକ (୫୦ତମ) କେବେ ପୁରଣ କରିବେ ସେ ନେଇ ଭବିଷ୍ୟବାଣୀ କରିଛନ୍ତି ଲିଟିଲ ମାଷ୍ଟର ଗାଭାସ୍କର ।
- " class="align-text-top noRightClick twitterSection" data="">
ଭାରତ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଏଯାବତ ୫ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟି ଯାକ ଜିତିଛି । ଭାରତକୁ ହରାଇବା ଏବେ କଷ୍ଟକର ବୋଲି ହୃଦୟଙ୍ଗମ କରିସାରିଲେଣି ବିପକ୍ଷ ଟିମ । ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଟିମର ସମସ୍ତ ପ୍ଲେୟାର ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି । ଉଭୟ ବ୍ୟାଟିଂ ଓ ବୋଲିଂ ଅର୍ଡର ନିଜ ନିଜ ଦାୟିତ୍ବ ଭଲ ଭାବେ ତୁଲାଉଛନ୍ତି । ତେବେ ଦଳକୁ ବିଜୟ ପଥରେ ପହଞ୍ଚାଇବାରେ କିଙ୍ଗ କୋହଲିଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯାହାକି ଗତ ମ୍ୟାଚ୍ରେ ପ୍ରମାଣିତ ହୋଇସାରିଛି । ଏହାରି ମଧ୍ୟରେ ବିରାଟ ଗୋଟିଏ ଶତକ ମଧ୍ୟ ହାସଲ କରିସାରିଲେଣି ।
'କୋଲକାତାରେ ଆସିବ ବିରାଟଙ୍କ ୫୦ତମ ଶତକ':- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଷ୍ଟାର ସ୍ପୋର୍ଟସ୍ ସହିତ ଆଲୋଚନା କରିବା ସମୟରେ ବିରାଟଙ୍କ ୫୦ତମ ଶତକକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି, "ବିରାଟ କୋହଲି ନିଜର ୫୦ତମ ଦିନିକିଆ ଶତକ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋଲକାତାର ଇଡେନ ଗାର୍ଡେନରେ ହାସଲ କରିବେ । ସେ ନିଜ ଜନ୍ମଦିନ (ନଭେମ୍ବର ୫ )ରେ ଏପରି କରିବେ, ଏହାଠୁ ଭଲ କଥା ଆଉ କଣ ହୋଇପାରେ । ଏପରି ହେବ ବୋଲି ମୋତେ ଦେଖାଯାଉଛି । ଯେତେବେଳେ ବିରାଟ ସେଠି ଶତକ ମାରିବେ ସେଠାରେ ପ୍ରଶଂସକ ତାଙ୍କୁ ଷ୍ଟାଣ୍ଡିଂ ଓଭେସନ ଦେବେ । ଫ୍ୟାନ୍ସ ଚିୟର୍ କରିବେ । ନିଜକୁ ସାବ୍ୟସ୍ତ କରିବା ଲାଗି ଏହା ପ୍ରତିଟି ଖେଳାଳି ପାଇଁ ସୁବର୍ଣ୍ଣ ସୁଯୋଗ ।"
ବିରାଟ ଏଯାବତ ୪୮ ଦିନିକିଆ ଶତକ ହାସଲ କରିଛନ୍ତି । ତେବେ ଆସନ୍ତା ୨୯ ତାରିଖରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ବିରୋଧରେ ମ୍ୟାଚ୍ ଖେଳାଯିବ । ଏହାପରେ ନଭେମ୍ବର ୨ ତାରିଖରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ତେବେ ବିରାଟ ଏହି ୨ଟି ମ୍ୟାଚରେ ନିଜର ୪୯ତମ ଶତକ ହାସଲ କରିବେ । ଏହାପରେ ତାଙ୍କ ଜନ୍ମଦିନ ବା ନଭେମ୍ବର ୫ ତାରିଖରେ କୋଲକାତା ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିରୋଧରେ ଥିବା ମ୍ୟାଚ୍ରେ ୫୦ତମ ଶତକ ମାରିବେ ବୋଲି କହିଛନ୍ତି ଗାଭାସ୍କର । ତେବେ ଗାଭାସ୍କରଙ୍କ ଭବିଷ୍ୟବାଣୀ କେତେ ସତ ହେବ ତାହା ଆଗାମୀ ମ୍ୟାଚ୍ରେ ସ୍ପଷ୍ଟ ହୋଇଯିବ ।
ରେକର୍ଡ ଅପେକ୍ଷାରେ କୋହଲି:- ସୂଚନା ଥାଉ କି ଚଳିତ ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ବ୍ୟାଟ୍ରୁ ଭଲ ସ୍କୋର ଟିମକୁ ମିଳିଛି । ବିରାଟ ୫ଟି ମ୍ୟାଚ୍ରେ ୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରି ୩୫୪ ରନ୍ ସଂଗ୍ରହ କରିଛନ୍ତି । ବିରାଟ ଗତ ମ୍ୟାଚ୍ରେ ୯୫ ରନ୍ରେ ଆଉଟ ହୋଇଥିଲେ । ଯଦି ଏହି ମ୍ୟାଚ୍ରେ ସେ ଶତକ ହାସଲ କରିଥାନ୍ତେ, ତେବେ ଏହା ୪୯ତମ ଦିନିକିଆ ଶତକ ହୋଇଥାନ୍ତା । ଆସନ୍ତା ୨୯ ତାରିଖରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଯଦି କୋହଲି ୪୯ତମ ଶତକ ହାସଲ କରିବେ, ତେବେ ସେ ଦିନିକିଆ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହିତ ସମକକ୍ଷ ହୋଇଯିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ