ହାଇଦ୍ରାବାଦ: ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ବକପ । ତେବେ ଏହି ମେଗା ICC ଟୁର୍ଣ୍ଣାମେଣ୍ଟ ପୂର୍ବରୁ ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କ ସହ କିଛି ମଜାଳିଆ ଅନ୍ଦାଜରେ କଥାହୋଇ କିଛି ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଟିମ ଇଣ୍ଡିଆ କ୍ୟାପେଟନ ବିରାଟ କୋହଲି । ଟି-୨୦ କ୍ରିକେଟରେ ମ୍ୟାଚ୍ ଫିନିସର ଭୁମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ମ୍ୟାଚ୍ର କଠିନ ପରିସ୍ଥିତିରେ ଶେଷ ପର୍ଯ୍ୟନ୍ତ ଖେଳି ବିଜୟୀ କରାଇବାର କୌଶଳ ପୂର୍ବରୁ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କର ଥିଲା । ତେବେ ଧୋନିଙ୍କ ପରେ ପନ୍ତଙ୍କୁ ଏହି ଭୁମିକାରେ ଦେଖିବାକୁ ଚାହୁଁଥିବା ନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି କୋହଲି ।
ପନ୍ତଙ୍କୁ ମୁଡ୍ ଏବେ ବିଶେଷ ଠିକ୍ ନାହିଁ । କାରଣ ତାଙ୍କର ଟିମ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଆଇପିଏଲ ୨୦୨୧ର କ୍ବାଲିଫାୟର ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି । ତେବେ ଟି-୨୦ ବିଶ୍ବକପର ଅଫିସିଆଲ ପ୍ରସାରଣ ମାନ୍ୟତା ଲାଭ କରିଥିବା ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ କୋହଲି, ଧୋନିଙ୍କ ଭଳି ଜଣେ ଦକ୍ଷ ୱିକେଟ କିପର ସନ୍ଧାନରେ ଏପର୍ଯ୍ୟନ୍ତ ଭାରତ ରହିଥିବା କହି ପନ୍ତଙ୍କ ମନୋବଳ ବଢାଇବାକୁ ପ୍ରୟାସ କରୁଥିବା ନଜର ଆସିଛନ୍ତି ।
ବର୍ଷ ୨୦୦୭ ଟି-୨୦ ବିଶ୍ବକପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ପାକିସ୍ତାନକୁ ଫାଇନାଲରେ ହରାଇ ଚମ୍ପିଆନ ହୋଇଥିଲା ଭାତ । ପନ୍ତଙ୍କ ଉଦ୍ଦେଶ୍ୟରେ କୋହଲି କହିଛନ୍ତି, "ଋଷଭ, ଟି-୨୦ କ୍ରିକେଟରେ ଛକା(୬) ତୁମକୁ ମ୍ୟାଚ୍ ଜିତାଇବ ।"
ଏହାର ଉତ୍ତରରେ ପନ୍ତ କହିଛନ୍ତି,"କିଛି ଚିନ୍ତା କରିବାର ନାହିଁ ଭାଇ, ପ୍ରତିଦିନ ଏହି ଅଭ୍ୟାସ କରୁଛି । ଜଣେ ୱିକେଟ କିପର ଥିଲେ ଯିଏ ଛକା ଲଗାଇ ଭାରତକୁ ବିଶ୍ବକପ ବିଜୟୀ କରାଇଥିଲେ ।"
ପନ୍ତ ଏହି ଉତ୍ତରରେ ୨୦୧୧ ବିଶ୍ବକପରେ ୱାଙ୍ଖେଡେ ଷ୍ଟାଡିୟମରେ ଛକା ଲଗାଇ ଭାରତକୁ ବିଶ୍ବକପ ବିଜୟୀ କରିଥିବା ଧୋନିଙ୍କ ଆଡକୁ ଇସାରା କରିଥିଲେ । କୋହଲି ଏଥିରେ ସହମତି ଜଣାଇବା ସହ କହିଥିଲେ, "ମାହି ଭାଇଙ୍କ ପରି ଜଣେ ୱିକେଟକିପର ଭାରତ ପାଇପାରିନାହିଁ ।"
ଟି-୨୦ ବିଶ୍ବକପ ପୂର୍ବରୁ ଟିମ ଇଣ୍ଡିଆ ଅକ୍ଟୋବର ୧୮ ରେ ଇଂଲଣ୍ଡ ବିପକ୍ଷରେ ଓ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ । ଦୁବାଇରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ପ୍ରଥମ ମ୍ୟାଚ୍ ଖେଳି ଭାରତ ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ