ସେଞ୍ଚୁରିଆନ: ବିନା କୌଣସି ଅନ୍ତର୍ଜାତୀୟ ଶତକରେ ୨୦୨୧ ଶେଷ କରିବେ ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳୁଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଦ୍ବିତୀୟ ଇନିଂସରେ ମାତ୍ର ୧୮ ରନ୍ କରି ଆଉଟ ହୋଇଥିଲେ ବିରାଟ କୋହଲି । ଏହି ଇନିଂସରେ ଏକ ଶତକ ହାସଲ କରିବା ପାଇଁ କୋହଲିଙ୍କ ପାଖରେ ସୁଯୋଗ ରହିଥିଲା । ତେବେ ଏହାକୁ ମଧ୍ୟ ହାତଛଡ଼ା କରିଥିଲେ ବିରାଟ କୋହଲି ।
କେବଳ ଏହି ବର୍ଷ ନୁହେଁ ୨୦୨୦ରେ ମଧ୍ୟ ବିନା କୌଣସି ଅନ୍ତର୍ଜାତୀୟ ଶତକରେ ବର୍ଷ ଶେଷ କରିଥିଲେ କୋହଲି । ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ ବିରାଟ କୋହଲି । କୋଲକାତାର ଇଡେନଗାର୍ଡେନରେ ଏହି ମ୍ୟାଚ୍ ଖେଳା ଯାଇଥିଲା ।
କୋହଲିଙ୍କ ନିଜର ୭୧ତମ ଅନ୍ତର୍ଜାତୀୟ ଶତକ ହାସଲ କରିବା ଅପେକ୍ଷା ବଢ଼ି ଯାଇଛି । କୋହଲିଙ୍କୁ ଭଲ ଷ୍ଟାର୍ଟ ମିଳୁଥିଲେ ସୁଦ୍ଧା ଏହାକୁ ସେ ବଡ଼ ସ୍କୋର୍ରେ ପରିଣତ କରିବାରେ ବିଫଳ ରହିଛନ୍ତି । ଏହାରି ମଧ୍ୟରେ ସେ ଅନେକ ଅର୍ଦ୍ଧ ଶତକ ହାସଲ କରିଛନ୍ତି ତେବେ ଏହାକୁ ସେ ତିନି ଅଙ୍କ ସ୍କୋର୍ରେ ପରିଣତ କରିବାରେ ବିଫଳ ହୋଇଛନ୍ତି ।
ମ୍ୟାଚ୍ କଥା କହିଲେ ଭାରତ ଦ୍ବିତୀୟ ଇନିଂସରେ ୧୭୪ରେ ଅଲ୍ଆଉଟ ହେବାପରେ ଦକ୍ଷିଣ ଆଫ୍ରିକା ୩୦୫ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଛି । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ୍ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ