ଇଂଲଣ୍ଡ: ବାଲେଶ୍ବର ବାହାନଗା ନିକଟରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଏବେ ମଧ୍ୟ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାକୁ ନେଇ ଦେଶ ବିଦେଶରୁ ଛୁଟିଥିଲା ସମବେଦନାର ସୁଅ । ସେପଟେ ଆଜିଠାରୁ ଇଂଲଣ୍ଡର 'ଦ ଓଭାଲ'ରେ ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ୍ ଚମ୍ପିନ୍ସିପ୍ ଫାଇନାଲ୍ । ପ୍ରଥମ ଦିନ ଖେଳ ଆରମ୍ଭ ପୂର୍ବରୁ ଏହି ରେଳ ଦୁର୍ଘଟଣାରେ ମୃତାହତଙ୍କ ଉଦ୍ଦେଶ୍ୟରେ କିଛି ସମୟ ନୀରବ ପ୍ରାର୍ଥନା କରିଥିଲେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ସମସ୍ତ ଖେଳାଳୀ ।
ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିବା ଭୟଙ୍କର ବାହାନଗା ଟ୍ରେନ ଦୁର୍ଘଟଣାର ଯନ୍ତ୍ରଣା ଏବେ ବି ଛାତି ଚିରି ପକାଉଛି । ଦୁର୍ଘଟଣା ସମୟରେ ରକ୍ତରଞ୍ଜିତ ହୋଇଯାଇଥିଲା ବାହାନଗା ମାଟି । କେହି କିଛି ବୁଝିବା ଆଗରୁ ସବୁ କିଛି ଛାରଖାର ହୋଇଯାଇଥିଲା । ବଗି ଓଲଟି ଚାରିଆଡେ ଗଦା ହୋଇଯାଇଥିଲା କୁଢ କୁଢ ମୃତଦେହ । ଲିଭିଯାଇଥିଲା ଅନେକ ଜୀବନ ଦୀପ । ଜୀବନ ବଞ୍ଚାଇବା ପାଇଁ ଚାରିଆଡେ ଶୁଭୁଥିଲା ଏକ ବିକଳ ଚିତ୍କାର । ସରକାରୀ ରିପୋର୍ଟ ଅନୁସାରେ ଏହି ଭୟଙ୍କର ଦୃଦୟବିଦାରକ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ମୋଟ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତଦେହ ଚିହ୍ନଟ ପ୍ରକ୍ରିୟା ସରିନାହିଁ । କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବେ ବେଳେ ଏବେ ମଧ୍ୟ ଅନେକ ଆହତ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଅଛନ୍ତି ।
ତେବେ ଏହି ଘଟଣା ନେଇ ପୂର୍ବରୁ ଅନେକ କ୍ରିକେଟର ଶୋକ ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ୟୁଜବେନ୍ଦ୍ର ଚହଲ, ପୂର୍ବତନ କ୍ରିକେଟ ବିରେନ୍ଦ୍ର ସେହୱାଗ ପ୍ରମୁଖ ଟ୍ବିଟ୍ କରି ଶୋକ ପ୍ରକାଶ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଥିଲେ । ଏପରିକି ଦୁର୍ଘଟଣାରେ ନିଜ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ସହାୟତାର ହାତ ବଢାଇଥିଲେ ସେହୱାଗ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ବୋର୍ଡିଂ ସୁବିଧା ଥିବା ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲ୍ରେ ମାଗଣାରେ ଶିକ୍ଷାଦାନ ନେଇ ସେ ଘୋଷଣା କରିଥିଲେ ।
ଆଜି ଇଂଲଣ୍ଡର 'ଦ ଓଭାଲ'ରେ ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ୍ ଚମ୍ପିନ୍ସିପ୍ ଫାଇନାଲ୍ ମ୍ୟାଚ୍ । ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ତେବେ ପ୍ରଥମ ଦିନର ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଥମେ ଶୋକ ପ୍ରକାଶ କରିଥିଲେ ଉଭୟ ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆ । ଦୁର୍ଘଟଣାରେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ହାତରେ କଳା ବ୍ୟାଚ୍ ପରିଧାନ କରି ମୈଦାନକୁ ଓହ୍ଲାଇଛନ୍ତି ଦୁଇ ପ୍ରତିଦ୍ବନ୍ଦ୍ବୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ