ହାଇଦ୍ରାବାଦ: ସେମିଫାଇନାଲ ପୂର୍ବରୁ ଇଂଲିସ୍ ଟିମକୁ ଆଉ ଏକ ଝଟକା । ପୂର୍ବରୁ ଷ୍ଟାର ବ୍ୟାଟର ଡେଭିଡ୍ ମଲାନ ଆହତ ହୋଇଥିବା ବେଳେ ଫାଷ୍ଟ ବୋଲର ମାର୍କ ଉଡ୍ ମଧ୍ୟ ସେମିଫାଇନାଲରେ ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ନଭେମ୍ବର ୧୦ ତାରିଖ ଗୁରୁବାର ଆଡିଲେଡରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଓ ଭାରତ ମୁହାଁମୁହିଁ ହେବେ । ତେବେ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡର ଦୁଇ ଅନୁଭବୀ କ୍ରିକେଟର ଖେଳିବା ନେଇ ଦଳ ଆଶଙ୍କାରେ ରହିଛି । ସେପଟେ ଏହି ଖବର ପ୍ରସାରଣ ପରେ ଭାରତକୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।
ଇଂଲିସ୍ ଟିମର ଅନୁଭବୀ ଫାଷ୍ଟ ବୋଲର ମାର୍କ ଉଡ୍ଙ୍କ ପ୍ରଦର୍ଶନ ଚଳିତ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ରହିଛି । ସେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୯ ଟି ୱିକେଟ ନେଇଛନ୍ତି । ତେବେ ସେ ଫିଟ୍ ନଥିବା ଦଳ ପକ୍ଷରୁ କୁହାଯାଇଛି । ଯେଉଁ କାରଣରୁ ତାଙ୍କୁ ମଙ୍ଗଳବାର ପ୍ରାକ୍ଟିସ୍ ଗ୍ରାଉଣ୍ଡରେ ଦେଖିବାକୁ ମିଳିନଥିଲା । ସୂଚନା ଅନୁସାରେ ଉଡଙ୍କ ମାଂସପେଶୀରେ ଆଘାତ ଲାଗିଛି । ଯେଉଁ କାରଣରୁ ସେ ମ୍ୟାଚ ଅଭ୍ୟାସ କରିନଥିଲେ । ହେଲେ ତାଙ୍କୁ ଆଘାତ କେତେ ମାତ୍ରରେ ଲାଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ପୂର୍ବରୁ ଏହି ଫାଷ୍ଟ ବୋଲରଙ୍କ ଡାହାଣ କହୁଣୀ ଅସ୍ତ୍ରୋପଚାର ହୋଇଥିଲା । ସେ ଦୀର୍ଘ ଦିନ ଧରି ଦଳରୁ ବାଦ ପଡିଥିଲେ । ଟି୨୦ ବିଶ୍ବକପ ମାଧ୍ୟମରେ ସେ ଦଳକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ତାଙ୍କ ଶରୀରରେ ଆଘାତ ଲାଗିବା ପରେ ସେ ଭାରତ ବିପକ୍ଷ ସେମିଫାଇନାଲ ମ୍ୟାଚ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ଦଳ ତରଫରୁ ସ୍ପଷ୍ଟ ହୋଇପାରିନାହଁ । ସେହିପରି ପୂର୍ବରୁ ଶନିବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଡେଭିଡ୍ ମଲାନଙ୍କୁ ଆଘାତ ଲାଗିଥିଲା ।
ସେପଟେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଇଂରାଜୀ କ୍ରିକେଟର ଜବରଦସ୍ତ ଫର୍ମରେ ଥିବା ବେଳେ ଦଳ ମଧ୍ୟ ଦମଦାର ପ୍ରଦର୍ଶନ କରିଥିବା ନଜିର ରହିଛି । ତେବେ ସେମିଫାନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲିସ ଟିମର ଅନୁଭବୀ କ୍ରିକେଟରଙ୍କ ବାଦ ପଡିବା ଖବର ଟିମ୍ ଇଣ୍ଡିଆକୁ ଆଶ୍ବସ୍ତି ପ୍ରଦାନ କରିଛି ।