ଦୁବାଇ: ICC ପକ୍ଷରୁ ସଦ୍ୟ ଜାରି ହୋଇଛି ଟି-୨୦ ବ୍ୟାଟର ମାନ୍ୟତା । ନୂଆ ମାନ୍ୟତାରେ ଭାରତୀୟ ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କୁ ଫାଇଦା ହୋଇଛି । ସେ ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୱେଷ୍ଡଇଣ୍ଡିଜ୍ ବିପକ୍ଷରେ ଭାରତ ଟି-୨୦ ସିରିଜ୍ ଜାରି ରହିଛି । ଏହି ସିରିଜ୍ରେ ଭଲ ପ୍ରଦର୍ଶନ କରୁଛନ୍ତି ସୂର୍ଯ୍ୟ କୁମାର ଯାଦବ । ଯାହାର ଫଳ ସ୍ବରୂପ ତାଙ୍କ ଟି-୨୦ ରାଙ୍କିଂରେ ଉନ୍ନତି ଘଟିଛି ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ମ୍ୟାଚ୍ରେ ଓପେନିଂ ଆସି ଧୂଆଁଦାର ବ୍ୟାଟିଂ କରିଥିଲେ ସୂର୍ଯ୍ୟ । ଯାହାଫଳରେ ବିଜୟ ଦ୍ବାରରେ ପହଞ୍ଚିଥିଲା । ସେ 44ଟି ବଲ୍ରେ ୪ ଟି ଛକା ଓ 8ଟି ଚୌକା ସହ ୭୬ ରନ୍ କରି ଆଉଟ ହୋଇଥିଲେ । ଭାରତ ଏହି ସିରିଜ୍ରେ ୨-୧ରେ ଆଗୁଆ ରହିଛି ।
ICC ଅନ୍ତର୍ଜାତୀୟ ଟି-୨୦ ବ୍ୟାଟର ତାଲିକାରେ ୧୪ଶ ସ୍ଥାନରେ ଓପନର ଇଶାନ କିଷନ ଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୬ଶ ସ୍ଥାନରେ ରହିଛନ୍ତି । କେ.ଏଲ୍ ରାହୁଲ ଏହି ତାଲିକାରେ ୨୦ତମ ସ୍ଥାନରେ ରହିଛନ୍ତି । ଗୋଟିଏ ସ୍ଥାନ ତଳକୁ ଖସି ବିରାଟ କୋହଲି ୨୮ଶ ସ୍ଥାନରେ ରହିଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ୮୧୮ ପଏଣ୍ଟ ସହ ସର୍ବଶୀର୍ଷରେ ରହିଛନ୍ତି । ସୂର୍ଯ୍ୟ କୁମାର ଯାଦବ ୮୧୬ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
ICC ଅନ୍ତର୍ଜାତୀୟ ଟି-୨୦ ବୋଲର ତାଲିକାରେ ଭାରତୀୟ ଏକ ମାତ୍ର ବୋଲର ଭାବରେ ଭୁବନେଶ୍ବର କୁମାର ରହିଛନ୍ତି । ସ୍ପିନର ୟୁଜିବେନ୍ଦ୍ର ଚହଲ ଏହି ତାଲିକାରେ ୨୦ତମ ସ୍ଥାନରେ ରହିଛନ୍ତି । ସେହିଭଳି ଅଲ୍ରାଉଣ୍ଡର ତାଲିକାରେ ଭାରତର କୌଣସି ଖେଳାଳି ସାମିଲ ହୋଇ ପାରିନାହାନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ସ୍ଥାନ ଉପରକୁ ଉଠି ୧୩ଶ ସ୍ଥାନରେ ରହିଛନ୍ତି ।