ହାଇଦ୍ରାବାଦ: ବୋର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଚେତାବନୀ ଦେଲେ ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟର ଷ୍ଟିଭ ସ୍ମିଥ । ସେ କହିଛନ୍ତି ଭାରତ ବିପକ୍ଷରେ ହେବାକୁ ଥିବା ଚାରୋଟି ଟେଷ୍ଟ ମ୍ୟାଚରେ କଡା ଟକ୍କର ହେବ । ଏଥିପାଇଁ ଦଳ ଜୋରଦାର ଅଭ୍ୟାସ ଜାରି ରଖିଛି । ବିଶେଷ କରି ତାଙ୍କୁ ସ୍ପିନ୍ ପିଚ୍ରେ ଖେଳିବା ବ୍ୟକ୍ତିଗତ ଭାବରେ ପସନ୍ଦ । ତେବେ ସ୍ମିଥ୍ଙ୍କର ଏଭଳି ଓପନ ଚ୍ୟାଲେଞ୍ଜ ପରେ ଟିମ୍ ଇଣ୍ଡିଆ ସହିତ ଟେଷ୍ଟ ମ୍ୟାଚରେ ହାଇଭୋଲଟେଜ ମୁକାବିଲା ହେବା ନେଇ ପ୍ରଶଂସକ ଆଶା ରଖିଛନ୍ତି ।
ଏବାବଦରେ ଷ୍ଟିଭ ସ୍ମିଥ୍ କହିଛନ୍ତି " ଉପମହାଦ୍ବୀପରେ ମୋତେ ବେଶ୍ ସୁହାଇଥାଏ । ପ୍ରଦର୍ଶନ ମଧ୍ୟ ଭଲ ରହେ । ମୋତେ ବାସ୍ତବରେ ସ୍ପିନିଂ ଟ୍ରାକରେ ଖେଳିବାକୁ ଭଲ ଲାଗେ । ଏଥିରେ କିଛି ନା କିଛି ଘଟିଥାଏ । ସ୍ପିନିଂ ପିଚରେ ଖେଳିବାର ମଜା କିଛି ଅଲଗା ରହିଛି । ତେବେ ଏହାର ବିଶେଷତ୍ବ ବାବଦରେ ମୁଁ ଭାରତ ଗଲେ ଖୁଲାସା କରିବି । ଏହା ମୋର ବ୍ୟାକ୍ତିଗତ ଅନୁଭବ । ଆପଣ କେବଳ ଆପଣଙ୍କ ସାମ୍ନାରେ ଥିବା ପିଚ୍ ହିସାବରେ ନିଜକୁ ପ୍ରସ୍ତୁତ କରିପାରିବା ଆବଶ୍ୟକ ।"
ଭାରତ ଅଷ୍ଟ୍ର୍ରେଲିଆ ବିପକ୍ଷରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ତଥା ବୋର୍ଡର ଗାଭାସ୍କର ଟ୍ରଫି ଖେଳିବ । ଏହାର ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରେ ନାଗପୁରରେ ଖେଳାଯିବ । ଏଥର ଖେଳାଯିବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫି ଉଭୟ ଟିମ ବହୁତ ଗୁରୁତ୍ବ ବହନ କରେ । ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଁଞ୍ଚିବାର ପ୍ରବେଶ ଏହି ସିରିଜ ହିଁ ନିର୍ଣ୍ଣୟ କରିବ । ସେହିପରି ଅଷ୍ଟ୍ରେଲିଆ ୧୯ ବର୍ଷ ଧରି ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ଅଷ୍ଟ୍ରେଲିଆ ୨୦୦୪-୦୫ ପରେ ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ତେବେ ଉଭୟ ଟିମ୍ ସିରିଜ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।