ଦୁବାଇ: ICC ପୁରୁଷ କ୍ରିକେଟ କମିଟିର ଚେୟାରମ୍ୟାନ ନିଯୁକ୍ତ ହେଲେ BCCI ସଭାପତି ସୌରଭ ଗାଙ୍ଗୁଲି । ICC ପକ୍ଷରୁ ଆୟୋଜିତ ବୋର୍ଡ ବୈଠକରେ ଏହାକୁ ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ ଏହି ଦାୟିତ୍ବରେ ନିଯୁକ୍ତ ଥିଲେ । ୯ ବର୍ଷ ଧରି ଏହି ଦାୟିତ୍ବ ତୁଲାଇ ଆସୁଥିଲେ ଅନିଲ କୁମ୍ବଲେ । ତାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ସୌରଭ ଗାଙ୍ଗୁଲିଙ୍କୁ ଏହି ଦାୟିତ୍ବ ଦେବାକୁ ସ୍ଥିର କରାଯାଇଛି ।
ଏହାକୁ ନେଇ ICCର ଅଧ୍ୟକ୍ଷ ଗ୍ରେଗ୍ ବର୍କେଲ କହିଛନ୍ତି ଯେ, "ICC ଟିମ୍କୁ ଆମେ ସୌରଭ ଗାଙ୍ଗୁଲିଙ୍କ ଭଳି କ୍ରିକେଟର ଓ ଲିଡରଙ୍କୁ ସ୍ବାଗତ କରୁଛୁ । ତାଙ୍କ ତତ୍ତ୍ବାବଧାନରେ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ସୁଧାର ଆସି ପାରିବ ବୋଲି ଆମେ ଆଶା କରୁଛୁ । ଏହାସହ ମୁଁ ପୂର୍ବରୁ ଏହି ଦାୟିତ୍ବରେ ଥିବା ଅନିଲ କୁମ୍ବଲେଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି । ୯ ବର୍ଷ ଧରି ସେ ନିରନ୍ତର ଭାବରେ ଆମ ସହ ଯୋଡ଼ି ହୋଇ ରହିଥିଲେ । ତାଙ୍କରି ସମୟରେ DRS, ସନ୍ଦିଗ୍ଧ ବୋଲିଂ ଆକ୍ସନ ଉପରେ କଟକଣା ଭଳି ନିଷ୍ପତ୍ତି ନିଆଯାଇ ପାରିଛି ।"
ICC ପକ୍ଷରୁ ଆୟୋଜିତ ଆଜିର ବୋର୍ଡ ବୈଠକରେ ଆହୁରି ଅନେକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି କ୍ରମରେ ୨୦୨୭ ବିଶ୍ବକପ୍ରେ ୧୪ଟି ଭାଗ ନେବେ ନେଇ ଏକ ପ୍ରସ୍ତାବ ରଖିଥିଲେ ICCର କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏହି ପ୍ରସ୍ତାବ ଉପରେ ଆଜି(ବୁଧବାର) ମୋହର ବାଜିଛି । ICC ରାଙ୍କିଂର ଟପ୍ ୧୦ଟି ଦଳ ସିଧାସଳଖ ଭାବେ ବିଶ୍ବକପ୍ ପାଇଁ ଯୋଗ୍ୟତା ହାସଲ କରିବେ । ବାକିଥିବା ୪ଟି ଦଳକୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ପଡ଼ିବ ।
ତାସହ ଆଗାମୀ ଦିନରେ ICC ମହିଳା କ୍ରିକେଟ କମିଟି ଗଠନ ହେବ । ମହିଳା କ୍ରିକେଟ ସମ୍ବନ୍ଧିତ ସମସ୍ତ ସୂଚନା ନିଷ୍ପତ୍ତି ଏହି କମିଟି ଦେବ । ପ୍ରାଥମିକ ପର୍ଯ୍ୟାୟରେ କ୍ରିକେଟ ୱେଷ୍ଟଇଣ୍ଡିଜର ଅଧ୍ୟକ୍ଷ ଜନି ଗ୍ରେବ୍ଙ୍କୁ ମହିଳା କ୍ରିକେଟ କମିଟିରେ ନିଯୁକ୍ତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ