ଦୁବାଇ: ICC ପକ୍ଷରୁ ଜାରି ହୋଇଛି ନୂଆ ଟି-୨୦ ରାଙ୍କିଂ । ନୂଆ ମାନ୍ୟତା ଅନୁଯାୟୀ ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ସବୁଠାରୁ ଅଧିକ ଫାଇଦା ହୋଇଛି । ସେ ୨୭ଟି ସ୍ଥାନ ଉପରକୁ ଉଠି ୧୮ଶ ସ୍ଥାନରେ ପହଞ୍ଚିଛନ୍ତ । ବୁଧବାର ନୂଆ ଟି-୨୦ ମାନ୍ୟତା ରିଲିଜ୍ କରିଛି ଆଇସିସି ।
ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ କରି ଟି-୨୦ ସିରିଜ୍ କ୍ଲିନ୍ସୁଇପ୍ କରିଥିଲେ । ଦ୍ବିତୀୟ ଓ ତୃତୀୟ ମ୍ୟାଚ୍ ବିଜୟରେ ଶ୍ରେୟସ ଆୟର ଧୂଆଁଦାର ବ୍ୟାଟିଂ କରି ଭାରତୀୟ ଦଳକୁ ବିଜୟପଥ ଦେଖାଇଥିଲେ । ଏହି ସିରିଜ୍ରେ ଶ୍ରେୟସ ଆୟର ୧୭୪ ଷ୍ଟ୍ରାଇକ ରେଟ୍ରେ ୨୦୪ ରନ୍ କରିଥିଲେ ।
ସେହିଭଳି ଭୁବନେଶ୍ବର କୁମାର ୩ଟି ସ୍ଥାନ ଉପରକୁ ଉଠି ୧୭ଶ ସ୍ଥାନରେ ପହଞ୍ଚିଛନ୍ତି । ସେ ମଧ୍ୟ ଭାରତର ଷ୍ଟ୍ରାଇକ ବୋଲର ଭାବରେ ଶ୍ରୀଲଙ୍କା ବ୍ୟାଟରଙ୍କ ୱିକେଟ ନେବାରେ ସକ୍ଷମ ହୋଇଥିଲେ । ତେବେ ନୂଆ ରାଙ୍କିଂରେ କେ.ଏଲ ରାହୁଲ ୩ଟି ସ୍ଥାନ ତଳକୁ ଖସି ୧୦ମ ସ୍ଥାନକୁ ଖସିଛନ୍ତି । ଏହି କ୍ରମରେ ଭାରତ ବିପକ୍ଷରେ ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ଦମଦାର ବ୍ୟାଟିଂ କରି ୭୫ ରନ୍ କରିଥିବା ପାଥୁମ ନିଶଙ୍କଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ସେ ୬ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ପହଞ୍ଚିଛନ୍ତି ।
ଆଇସିସିର ନୂଆ ଟି-୨୦ ମାନ୍ୟତାରେ ବ୍ୟାଟରଙ୍କ ମଧ୍ୟରେ ପାକିସ୍ତାନର ମହମ୍ମଦ ରିଜ୍ୱାନ ଟପ୍ରେ ରହିଛନ୍ତି । ସେହିଭଳି ବୋଲରଙ୍କ ମଧ୍ୟରେ ଶୀର୍ଷରେ ରହିଛ୍ତି ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ୍ । ଅଲରାଉଣ୍ଡର ତାଲିକାରେ ବାଂଲାଦେଶର ଅଲ୍ରାଉଣ୍ଡର ସାକିବ୍-ଅଲ୍-ହାସନ ଶୀର୍ଷରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ