ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଟେଷ୍ଟ କ୍ୟାପଟେନ ବିରାଟ କୋହଲି ଓ BCCI ବସ୍ ସୌରଭ ଗାଙ୍ଗୁଲିଙ୍କ ଭିନ୍ନ ବୟାନ ବିବାଦର ନୂଆ ଖୁଲାସା । ବିରାଟ କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ଛାଡିବାକୁ ବାଧ୍ୟ କରାଯାଇନଥିଲା । ବରଂ ଚୟନକର୍ତ୍ତା ବିରାଟଙ୍କୁ ଟି-୨୦ କ୍ୟାପଟେନ ପଦ ନ ଛାଡିବା ପାଇଁ କହିଥିଲେ । ହ୍ବାଇଟ୍-ବଲ୍ ଫର୍ମାଟ କ୍ରିକେଟରେ ଭାରତୀୟ ଟିମର କ୍ୟାପଟେନ ଚୟନକର୍ତ୍ତା ସବୁବେଳେ ଜଣେ ହୁଅନ୍ତୁ ବୋଲି ଚାହୁଁଥିଲେ । ଏହା କହିଛନ୍ତି ସର୍ବଭାରତୀୟ ସିନିୟର-ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଚେତନ ଶର୍ମା ।
ଏଥିସହ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ବୟାନକୁ ସମର୍ଥନ କରିଛନ୍ତି ଚୟନକର୍ତ୍ତା କମିଟି ମୁଖ୍ୟ ।
ବିରାଟ କୋହଲିଙ୍କ ସ୍ଥାନରେ ଓପନର ରୋହିତ ଶର୍ମାଙ୍କୁ ସୀମିତ ଓଭର କ୍ରିକେଟରେ ଭାରତୀୟ ଟିମର କ୍ୟାପଟେନ ନିଯୁକ୍ତ କରିଛନ୍ତି ଚୟନକର୍ତ୍ତା ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଟିମ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀରେ ଚେତନ ଶର୍ମା କହିଛନ୍ତି,"ଦିନିକିଆ ଫର୍ମାଟରେ ନୂଆ କ୍ୟାପଟେନ ନିଯୁକ୍ତ କରିବା ନିଷ୍ପତ୍ତି ଚୟନକର୍ତ୍ତାଙ୍କର ଥିଲା । ଏହି ନିଷ୍ପତ୍ତି ଚୁଡାନ୍ତ ହେବାପରେ ବିରାଟଙ୍କୁ ଫୋନ୍ ଯୋଗେଁ ଜଣାଇ ଦିଆଯାଇଥିଲା । ଟେଷ୍ଟ ଟିମ ଚୟନ ଦିନ ବିରାଟଙ୍କ ସହ କଥାବାର୍ତ୍ତା ହୋଇଥିଲା । ହ୍ବାଇଟ୍ ବଲ୍ କ୍ରିକେଟରେ ଚୟନକର୍ତ୍ତା ଜଣେ କ୍ୟାପଟେନ ଚାହୁଁଥିବା ସ୍ପଷ୍ଟକରାଯାଇଥିଲା । ଆମେ କୌଣସି ବିବାଦ ଚାହୁଁନାହୁଁ । "
ଏହାମଧ୍ୟ ପଢନ୍ତୁ: SA vs Ind: ଭାରତୀୟ ODI ଟିମ ଘୋଷଣା, ରାହୁଲ କ୍ୟାପଟେନ୍
କ'ଣ ଥିଲା ସଂପୂର୍ଣ୍ଣ ବିବାଦ:
ଚୟନକର୍ତ୍ତାଙ୍କ କ୍ୟାପଟେନ ବଦଳାଇବା ନିଷ୍ପତ୍ତି ପରେ ବିବାଦର ସୂତ୍ରପାତ ହୋଇଥିଲା । BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ଏକ ବୟାନ ବିରାଟ କୋହଲିଙ୍କ ବୟାନ ସଙ୍ଗେ ମେଳ ଖାଇନଥିଲା । ଗାଙ୍ଗୁଲି ପ୍ରଥମେ ଏକ ସାକ୍ଷାତକାରରେ ଏହା କହିଥିଲେ ଯେ, "କୋହଲିଙ୍କୁ BCCI ପକ୍ଷରୁ ଟି-୨୦ କ୍ୟାପଟେନ ପଦ ନ ଛାଡିବାକୁ ଅନୁରୋଧ କରାଯାଇଥିଲା ମାତ୍ର ସେ ମାନିନଥିଲେ । ହ୍ବାଇଟ୍ ବଲ୍ ଫର୍ମାଟରେ ଚୟନକର୍ତ୍ତା ଦୁଇଜଣ କ୍ୟାପଟେନ ଚାହୁଁନଥିଲେ ।"
ପରେ BCCI ଅଧ୍ୟକ୍ଷଙ୍କ ଏହି ବୟାନର ଉତ୍ତର ରଖିଥିଲେ କୋହଲି । ଟି-୨୦ କ୍ୟାପଟେନ ପଦ ନଛାଡିବା ପାଇଁ ତାଙ୍କୁ କେହି କହିନଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ସେ ଟି-୨୦ କ୍ୟାପଟେନ ପଦ ଛାଡିବା ଘୋଷଣା ସମୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ, ଟେଷ୍ଟ ଓ ଦିନିକିଆ ଫର୍ମାଟରେ ସେ ନେତୃତ୍ବ ଭାର ତୁଲାଇବେ ।
ବିରାଟ ଟି-୨୦ ବିଶ୍ବକପ ଟୁର୍ନାମେଣ୍ଟ ଅଧାରେ ଫଟାଫଟ ଫର୍ମାଟର ନେତୃତ୍ବ ଛାଡିବାକୁ ଚାହାନ୍ତି ବୋଲି ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ