ହାଇଦ୍ରାବାଦ: ବର୍ଷ ୨୦୧୩ରୁ ଆଇସିସି ଟ୍ରଫି ଭୋକିଲା ରହିଛି ଟିମ ଇଣ୍ଡିଆ । ବର୍ଷ ୨୦୨୨ର ବିଶ୍ବକପ ସ୍ବପ୍ନ ଚୂରମାର ହେବା ପରେ BCCIକୁ ଶକ୍ତ ଆଘାତ ଲାଗିଛି । ଗୋଟିଏ ପରେ ଗୋଟିଏ ଟି୨୦ ବିଶ୍ବକପରେ ଭାରତ ବିଫଳ ରହିଛି । ତେବେ ଏନେଇ ଆକ୍ସନ ମୋଡରେ ନଜର ଆସିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ୨୦୨୩ ଦିନିକିଆ ବିଶ୍ବକପର ଆୟୋଜକ ରହିଛି ଭାରତ । ତେବେ ଘରୋଇ ମାଟିରେ ହେବାକୁ ଥିବା ଏହି ଟୁର୍ଣ୍ଣମେଣ୍ଟ ଟ୍ରଫି ହାତଛଡା କରିବାକୁ ଚାହେଁନାହିଁ ଭାରତ । ସେଥିପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି ବିସିସିଆଇ । ଦିନିକିଆ ବିଶ୍ବକପ ପାଇଁ ୨୦ ଜଣ ଖେଳାଳିଙ୍କ ନାମକୁ ସର୍ଟଲିଷ୍ଟ କରାଯାଇଛି ।
ଜାନୁଆରୀ 1 ତାରିଖରେ ବୋର୍ଡର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅଧିନାୟକ ରୋହିତ ଶର୍ମା, କୋଚ ରାହୁଲ ଦ୍ରାବିଡ, NCA ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ଏବଂ ଚୟନ କମିଟିର ମୁଖ୍ୟ ଚେତନ ଶର୍ମା ଉପସ୍ଥିତ ରହିଥିଲେ । ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏହି ରିଭ୍ୟୁ ମିଟିଙ୍ଗ ବୋର୍ଡ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ସଚିବ ଜୟ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୋର୍ଡର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ବର୍ଷ ୨୦୨୨ର ଟିମ ଇଣ୍ଡିଆର ପ୍ରଦର୍ଶନ, ଟି୨୦ ବିଶ୍ବକପର ବିଫଳତା ଏବଂ ଆଗାମୀ ଦିନିକିଆ ବିଶ୍ବକପ ବାବଦରେ ଚର୍ଚ୍ଚା କରାଯାଇଛି ।
ଏହି ବୈଠକରେ ଦିନିକିଆ ବିଶ୍ବକପ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । BCCI ସଚିବ ଜୟ ଶାହା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ୨୦ କ୍ରିକେଟରଙ୍କ ନାମ ଦିନିକିଆ ବିଶ୍ବକପ ପାଇଁ ସର୍ଟଲିଷ୍ଟ କରାଯାଇଛି । ଯେଉଁମାନଙ୍କୁ ଘରୋଇ ମାଟିରେ ହେବାକୁ ଥିବା ଏହି ଦିନିକିଆ ବିଶ୍ବକପ ପାଇଁ ପ୍ରସ୍ତୁତ କରାଯିବ । ହେଲେ ଏହି କ୍ରିକେଟରମାନଙ୍କ ନାମକୁ ସାର୍ବଜନୀନ କରାଯାଇନାହିଁ । ସର୍ଟଲିଷ୍ଟ ତାଲିକାରେ ସେହି କ୍ରିକେଟରମାନେ ସ୍ଥାନ ପାଇଛନ୍ତି ଯେଉଁମାନେ ଲଗାତାର ଦିନିକିଆ ମ୍ୟାଚରେ ଆଖିଦୃଶିଆ ପ୍ରଦର୍ଶନ କରିଆସୁଛନ୍ତି ।