ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପରାସ ମାମ୍ବ୍ରେ ସିନିୟର ଟିମ ଇଣ୍ଡିଆର ବୋଲିଂ କୋଚ୍ ପାଇଁ ଆବେଦନ କରିଛନ୍ତି । ସୋମବାର BCCI ସୂତ୍ରରୁ ଏହି ସୂଚନା ମିଳିଛି । ଇଣ୍ଡିଆ ଏ' ଓ ୧୯ ବର୍ଷରୁ କମ ସଫଳତମ ଟିମ ପ୍ରୋଗ୍ରାମ ପଛରେ ପରାସଙ୍କ ପ୍ରମୁଖ ଅବଦାନ ରହିଛି ।
ପ୍ରାୟ ଗୋଟିଏ ଦଶନ୍ଧି ଧରି ଜାତୀୟ କ୍ରିକେଟ ଏକାଡେମୀରେ କାର୍ଯ୍ୟ କରିଆସୁଛନ୍ତି ମାମ୍ବ୍ରେ । ରାହୁଲ ଦ୍ରାବିଡଙ୍କ ଅତ୍ୟନ୍ତ ବିଶ୍ବସ୍ଥ ରହିଛନ୍ତି । ଦ୍ରାବିଡଙ୍କୁ ପରବର୍ତ୍ତୀ ମୁଖ୍ୟ କୋଚ୍ ଭାବରେ BCCI ଦେଖିବାକୁ ଚାହୁଁଥିବା କୁହାଯାଉଛି । ଅନେକ ଗସ୍ତରେ ୧୯ ବର୍ଷରୁ କମ ଓ ଇଣ୍ଡିଆ ଏ' 'ଟିମର ମୁଖ୍ୟ କୋଚ୍ ଭାବେ ମଧ୍ୟ ଯାତ୍ରା କରିଛନ୍ତି ।
ଜାତୀୟ କ୍ରିକେଟ ଏକାଡେମୀ(NCA)ରେ ଜୁନିଅର ଖେଳାଳିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ଭବିଷ୍ୟତର ଭାରତୀୟ କ୍ରିକେଟର ଗଢିବାରେ ଯେଉଁ କାର୍ଯ୍ୟ ଚାଲୁରହିଛି ସେଥିରେ ଦ୍ରାବିଡଙ୍କ ଓ ମାମ୍ବ୍ରେ ପ୍ରମୁଖ ସୂତ୍ରଧର ରହିଛନ୍ତି ।
ଜଣେ BCCI ଅଧିକାରୀ କହିଛନ୍ତି, "ମଙ୍ଗଳବାର, ଅକ୍ଟୋବର ୨୬ ଆବେଦନର ଶେଷ ତାରିଖ । ପରାସ ଆନୁଷ୍ଠାନିକ ଭାବେ ବୋଲିଂ କୋଚ୍ ପାଇଁ ଆବେଦନ କରିଛନ୍ତି । ପରାସ ଅଭିଜ୍ଞ ଓ ଭାରତୀୟ କ୍ରିକେଟର ଶ୍ରେଷ୍ଠ କୋଚିଂ ସିଷ୍ଟମ ସହିତ ପ୍ରାୟ ଏକ ଦଶନ୍ଧି ଧରି ବେଶ ଅଭ୍ୟସ୍ତ ।"
୪୯ ବର୍ଷୀୟ ପରାସ ଭାରତ ପକ୍ଷରୁ ବର୍ଷ ୧୯୯୬ରୁ ୧୯୯୮ ମଧ୍ୟରେ ଦୁଇଟି ଟେଷ୍ଟ, ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ବରୋଦା କ୍ରିକେଟ ଟିମର କୋଚ୍ ରହିସାରିଛନ୍ତି ଓ ବେଙ୍ଗଲ ଟିମକୁ ମଧ୍ୟ ରଣଜି ଟ୍ରଫି ଫାଇନାଲରେ ପହଞ୍ଚାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ