ଦୁବାଇ: ଏସିଆନ କ୍ରିକେଟ କାଉନସିଲ୍(ACC)ର ବଡ ନିଷ୍ପତ୍ତି । ଅକ୍ଟୋବର ୧୫ରେ ଆୟୋଜିତ ବୈଠକରେ ଏସିଆ କପ୍କୁ ନେଇ ବଡ ନିଷ୍ପତ୍ତି ହୋଇଛି । ଏସିଆ କପ୍ ୨୦୨୩ ସଂସ୍କରଣର ଆୟୋଜକ ମାନ୍ୟତା ପାକିସ୍ତାନକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବା ନେଇ ସ୍ଥିର ହୋଇଛି । ୨୦୨୩ରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୨୦୨୨ରେ ଶ୍ରୀଲଙ୍କା ଦ୍ବାରା ଆୟୋଜିତ ଇଭେଣ୍ଟର ଠିକ୍ ଏକ ବର୍ଷ ପରେ ହେବ ।
ACC ଚେୟାରମ୍ୟାନ ଜୟ ଶାହଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି ଯେ ଏସିଆ କପ୍ ଆୟୋଜନର ପାଳି ଏଥର ପାକିସ୍ତାନରେ ରହିଛି । ସେହିପରି ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ମଧ୍ୟ ଏହା କୁହାଯାଇଛି ଯେ, ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନର ସ୍ଥାନ(ନ୍ୟୁଟ୍ରାଲ ଭେନ୍ୟୁ)ରେ ନ ହୋଇ ପାକିସ୍ତାନରେ ଖେଳାଯିବ ।
ACCର ଏହି ନିଷ୍ପତ୍ତିରେ ସମସ୍ତ ସମସ୍ତ ଏକମତ ହୋଇଛନ୍ତି । ଏକ ପ୍ରମୁଖ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, BCCI ଓ PCB ଏହି ନିଷ୍ପତ୍ତିରେ ସହମତି ଜାହିର କରିଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟର ସୂଚୀ ଏବେ ସ୍ଥିର ହୋଇନାହିଁ ।
ଏହାପୂର୍ବରୁ PCB ଏସିଆ କପ୍ ୨୦୨୦ର ଆୟୋଜନ କରିବାର ଥିଲା ମାତ୍ର ଭାରତୀୟ ବୋର୍ଡ ପାକିସ୍ତାନ ଗସ୍ତରେ ଯିବାକୁ ସ୍ପଷ୍ଟ ମନାକରିବା ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଅନୁରୋଧ କରି ନିଜର ଆୟୋଜକ ମାନ୍ୟତା ପାଳି ବଦଳାଇ ଦେଇଛି PCB । କିନ୍ତୁ COVID ମହାମାରୀ କାରଣରୁ ଶ୍ରୀଲଙ୍କା କ୍ରିକେଟ ଏସିଆ କପ୍ ୨୦୨୦ କିମ୍ବା ୨୦୨୧ରେ ମଧ୍ୟ ଆୟୋଜିତ କରିବାକୁ ଅସମର୍ଥ ହୋଇଥିଲା । ତେବେ ୨୦୨୨ରେ ଶ୍ରୀଲଙ୍କାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ