ଦୁବାଇ: ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚ୍ ଖେଳୁଛି ନ୍ୟୁଜିଲାଣ୍ଡ । ମାତ୍ର କେନ୍ ୱଲିୟମସନଙ୍କ ଟିମକୁ ଲାଗିଛି ବଡ ଝଟକା । ଆହତ କାରଣରୁ ସଂପୂର୍ଣ୍ଣ ବିଶ୍ବକପ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଦ୍ରୁତ ବୋଲର ଲୋକି ଫର୍ଗୁସନ ।
ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସଂପୂର୍ଣ୍ଣ ବିଶ୍ବକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ଫର୍ଗୁସନ । ନ୍ୟୁଜିଲାଣ୍ଡ କ୍ରିକେଟ(NZC) ଏକ ବିଜ୍ଞପ୍ତି ଜାରି କରିବା ସହ ଏନେଇ ସ୍ପଷ୍ଟ କରିଛି । ଫର୍ଗୁସନଙ୍କୁ ସୁସ୍ଥ ହେବାକୁ ଅତିକମ୍ରେ ତିନିରୁ ଚାରି ସପ୍ତାହ ସମୟ ଲାଗିବ ।
ବ୍ଲାକକ୍ୟାପ୍ସ ଟିମ ଆଗାମୀ ୧୩ ଦିନ ମଧ୍ୟରେ ୪ଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ସୂଚୀ ରହିଥିବାରୁ ଫର୍ଗୁସନ ଖେଳିବାକୁ ଅସମର୍ଥ କହିଛନ୍ତି କୋଚ୍ ଗ୍ୟାରୀ ଷ୍ଟେଡ୍ । ଫର୍ଗୁସନ ନ୍ୟୁଜିଲାଣ୍ଡ ଟି-୨୦ ଟିମର ପ୍ରମୁଖ ସଦସ୍ୟ ଥିଲେ ।
ଫର୍ଗୁସନଙ୍କ ବଦଳ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ୧୫ ଜଣିଆ ସ୍କ୍ବାଡରେ ସାମିଲ ହୋଇପାରନ୍ତି ଆଡାମ ମିଲନେ । ତେବେ ICC ଟେକ୍ନିକାଲ କମିଟିର ଅନୁମୋଦକୁ ଅପେକ୍ଷା ଥିବା କିୱି କୋଚ୍ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ