ଗୌହାଟୀ: ଜାରି ରହିଥିବା ଆଇପିଏଲ ୨୦୨୩ରେ ଆଜି ଡବଲ ହେଡର ମ୍ୟାଚ୍ ରହିଥିଲା । ତେବେ ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତ ସଂସ୍କରଣରେ ଖେଳିଥିବା ତୃତୀୟ ମ୍ୟାଚରେ ଦ୍ବିତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ରାଜସ୍ଥାନ । ସେପଟେ କିନ୍ତୁ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଥିବା ଦିଲ୍ଲୀକୁ ଆଜି ମଧ୍ୟ ପରାଜୟ ବରଣ କରିବାକୁ ପଡ଼ିଛି । ୨୦୦ ରନର ବିଶାଳ ଲକ୍ଷ୍ୟ ପୂରଣ କରିବାକୁ ଯାଇ କେବଳ ୧୪୨ ରନରେ ଅଟକି ଯାଇଛି ଦିଲ୍ଲୀ । ଫଳରେ କ୍ରମାଗତ ଭାବେ ତୃତୀୟ ମ୍ୟାଚ୍ରେ ମଧ୍ୟ ପରାଜୟର ସ୍ବାଦ ଚାଖିଛି ଡିସି ।
-
Too good in Guwahati. This performance and our Royals fam! 💗🔥 pic.twitter.com/ddx4WOAXCg
— Rajasthan Royals (@rajasthanroyals) April 8, 2023 " class="align-text-top noRightClick twitterSection" data="
">Too good in Guwahati. This performance and our Royals fam! 💗🔥 pic.twitter.com/ddx4WOAXCg
— Rajasthan Royals (@rajasthanroyals) April 8, 2023Too good in Guwahati. This performance and our Royals fam! 💗🔥 pic.twitter.com/ddx4WOAXCg
— Rajasthan Royals (@rajasthanroyals) April 8, 2023
ଗୌହାଟୀରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର । ତେବେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନର ପ୍ରାରମ୍ଭିକ ଯୋଡ଼ି ଆରମ୍ଭରୁ ହିଁ ଦିଲ୍ଲୀ ବୋଲରଙ୍କୁ ଆକ୍ରମଣ କରିଥିଲେ । ଉଭୟଙ୍କ ବଲରୁ ଚୌକା ଓ ଚକା ବର୍ଷା ହୋଇଥିଲା । ଯୁବ ତାରକା ୟଶସ୍ବୀ ଜୟସ୍ବାଲ ପ୍ରଥମ ଓଭରରେ ହିଁ ଦିଲ୍ଲୀ ବୋଲର ଖଲିଲ ଅହମ୍ମଦଙ୍କ ୫ଟି ଚୌକା ମାରିଥିଲେ । ତେବେ ସେ ୩୧ ବଲ ଖେଳି ଦ୍ରୁତଗତିରେ ୬୦ ରନ ସଂଗ୍ରହ କରିଥିଲେ ।
ଦଳୀୟ ସ୍କୋର ୯୧ ରନ ହୋଇଥିବା ବେଳେ ମୁକେଶ କୁମାରଙ୍କ ବଲରେ ପାଭିଲିୟନ ଫେରିଥିଲେ । ଏହାପରେ ସେହି ଓଭରରେ ହିଁ ଜୋଶ ବଟଲରଙ୍କୁ ପାଭିଲିୟନ ଫେରାଇଥିଲେ ମୁକେଶ । ସେ ୫୧ ବଲରୁ ୭୯ ରନ ସଂଗ୍ରହ କରିଥିଲେ । ତେବେ ଅଧିନାୟକ ସଞ୍ଜୁ ସାମସନ ଆଜି ଖାତା ଖୋଲି ପାରିନଥିଲେ । ରିୟାନ ପରାଗ ୭ ରନ କରି ଆଉଟ ହୋଇଥିବା ବେଳେ ହେଟମେୟରଙ୍କ ୨୧ ବଲରୁ ଅପରାଜିତ ୩୯ ଓ ଧୃବ ଜୁରେଲଙ୍କ ୩ ବଲରୁ ୮ ରନ ବଳରେ ଦଳୀୟ ସ୍କୋର ୧୯୯ ରନରେ ପହଞ୍ଚିଥିଲା ।
ସେପଟେ ଦିଲ୍ଲୀର ପ୍ରାୟ ସମସ୍ତ ବୋଲର ଆଜି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଖଲିଲ ଅହମ୍ମଦ ୨ ଓଭରରୁ ୩୧ ରନ ଦେଇ ଦଳ ପାଇଁ ସବୁଠାରୁ ଅଧିକା ଚିନ୍ତାର କାରଣ ପାଲଟିଥିଲେ । ଦିଲ୍ଲୀର ଷ୍ଟାର ବୋଲର ଅନରିଚ ନୋର୍ଖିଆ ୪ ଓଭରରୁ ୪୪ ରନ ଖର୍ଚ୍ଚ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ । ତେବେ ମୁକେଶ କୁମାର ୪ ଓଭରରୁ ୩୬ ରନ ବ୍ୟୟରେ ସର୍ବାଧିକ ୨ଟି ୱିକେଟ ହାତେଇଥିବା ବେଳେ କୁଲଦୀପ ଯାଦବ ଓ ରୋବମାନ ପାୱେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
ଏହାପରେ ୨୦୦ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଦିଲ୍ଲୀକୁ ପ୍ରଥମ ଝଟକା ଦେଇଥିଲେ ଏହାର ପ୍ରାରମ୍ଭିକ ବ୍ୟାଟର ପୃଥ୍ୱୀ ଶ' । ପ୍ରଥମ ବଲରେ ସେ ଆଉଟ ହୋଇଥିଲେ । ଗୋଟିଏ ପଟେ ଅଧିନାୟକ ୱାର୍ନର ପାଳି ସମ୍ଭାଳି ବଡ଼ ସଟ ଖେଳିବା ଜାରି ରଖିଥିବା ବେଳେ ଅନ୍ୟପଟେ କିନ୍ତୁ ବ୍ୟାଟିଂ ବିପର୍ଯ୍ୟୟ ଘଟି ଚାଲିଥିଲା । ତେବେ ଦଳ ପକ୍ଷରୁ ରିଲେ ରୁଶୋ ୧୨ ବଲରୁ ୧୪ ରନ ସଂଗ୍ରହ କରିଥିବା ବେଳେ ଲଳିତ ଯାଦବ ୨୪ ବଲରୁ ୩୮ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ବିଶିଷ୍ଟ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ଦଳ ୧୪୨ ରନରେ ଅଟକି ଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ