ଅହମ୍ମଦାବାଦ: ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଆଜି (ଶୁକ୍ରବାର) ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ଖେଳାଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍ରେ ବିଜେତା ଦଳ ଫାଇନାଲକୁ ଯିବ ଓ ପରାଜୟ ଦଳର ଅଭିଯାନ ଶେଷ ହେବ । କାହାର ଭାଗ୍ୟ ସାଥ୍ ଦେଉଛି ତାହା ମ୍ୟାଚ୍ ପରେ ସ୍ପଷ୍ଟ ହେବ ।
ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନକୁ ହରାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଗୁଜୁରାଟ ଟାଇଟନ୍ସ ପ୍ରଥମ ଟିମ ଭାବେ ଫାଇନାଲରେ ପହଞ୍ଚିସାରିଛି । ସେହିପରି ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ପରାସ୍ତ କରିଥିଲା ବାଙ୍ଗାଲୋର । ଫଳରେ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଆଜି ଫାଇନାଲ ଟିକେଟ ପାଇଁ ଲଢେଇ ହେବ ।
ଏଲିମିନେଟର ମୁକାବିଲା ଜିତିବା ପରେ ଫାଫ ଡୁ ପ୍ଲେସିସଙ୍କ RCBର ମନୋବଳ ଦୃଢ ଅଛି । ତେବେ ଦଳର ଷ୍ଟାର ଖେଳାଳି କୋହଲି, ଗ୍ଲେନ ମ୍ୟାକ୍ଲୱେଲ ଓ ଡୁ ପ୍ଲେସିସଙ୍କୁ ସଫଳ ହେବାକୁ ପଡିବ । ଏହି ୩ ଖେଳାଳି ସଫଳ ହେଲେ ଦଳର ବିଜୟ ସହଜ ହେବ । ରଜତ ପଟିଦାରଙ୍କ ପ୍ରଦର୍ଶନ ଉପରେ ପୁଣି ସମସ୍ତଙ୍କ ନଜର ରହିବ । ସୁପରଜିଆଣ୍ଟ୍ସ ବିପକ୍ଷରେ ମ୍ୟାଚ୍ ବିଜୟୀ ଶତକୀୟ ଇଂନିସ ଖେଳିଥିଲେ ପାଟିଦାର ।
ବାଙ୍ଗାଲୋରର ବୋଲିଂ ବିଭାଗ ଶକ୍ତିଶାଳୀ ରହିଛି । ମହମ୍ମଦ ସିରାଜ, ହର୍ଷଲ ପଟେଲ ୱାନିନ୍ଦୁ ହସରଙ୍ଗା ଭଳି ବୋଲର ଘାତକ ପ୍ରମାଣିତ ହୋଇପାରନ୍ତି । ଅନ୍ୟପଟେ ବାଙ୍ଗାଲୋରର ଜବରଦସ୍ତ ପ୍ରଦର୍ଶନ ରାଜସ୍ଥାନର ଚିନ୍ତା ବଢାଇଛି । ଦଳରେ ଟୁର୍ଣ୍ଣାମେଣ୍ଚର ସର୍ବାଧିକ ରନ୍ ସଂଗ୍ରହକାରୀ ଇଂଲିସ ବିସ୍ଫୋରକ ବ୍ୟାଟ୍ର ଜସ୍ ବଟଲର ରହିଥିଲେ ମଧ୍ୟ ଗତ କିଛି ମ୍ୟାଚ୍ରେ ସେ ଫେଲ୍ ମାରିଛନ୍ତି । ତେବେ ପୂର୍ବ ପରାଜୟକୁ ଭୁଲି ସାମସନ ସେନାଙ୍କୁ ଆଜି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।
ଯୁଜଭେନ୍ଦ୍ର ଚହଲ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିବାବେଳେ, ରବିଚନ୍ଦ୍ରନ ଅଶ୍ବିନ ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ନେଇ ରାଜସ୍ଥାନ ବୋଲିଂ ବିଭାଗ ମଧ୍ୟ ଶକ୍ତିଶାଳୀ ରହିଛି । ଲିଗ ମ୍ୟାଚରେ ଦୁଇ ଦଳ ପରସ୍ତରକୁ ୨ ଥର ଭେଟିଥିଲେ । ଦୁଇଟି ଯାକ ମ୍ୟାଚ ଜିତିଥିଲା ରାଜସ୍ଥାନ । ଆଜିର ଫଳାଫଳ ଅନୁମାନ କରିବା କଷ୍ଟକର । ଦଳର ପ୍ରଦର୍ଶନ ହିଁ ଫାଇନାଲରେ ପ୍ରବେଶ ପାଇଁ ସହଜ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ