ଦୁବାଇ: ଆରମ୍ଭ ହୋଇସାରିଛି ଆଇପିଏଲ ୨୦୨୧ର ପ୍ଲେ-ଅଫ୍ କାଉଣ୍ଟଡାଉନ୍ । ଶେଷ ପର୍ଯ୍ୟାୟରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ । ଆଉ ମାତ୍ର ୧୧ଟି ଲିଗ୍ ମ୍ୟାଚ୍ ବାକିଥିବାବେଳେ ରୋମାଞ୍ଚକର ସ୍ଥିତିରେ ରହିଛି ପ୍ଲେ-ଅଫ୍ ସମୀକରଣ ।
ଶୁକ୍ରବାର ପଞ୍ଜାବ କିଙ୍ଗ୍ସ(PBKS), କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିବା ପରେ ପ୍ଲେ-ଅଫ୍ ପ୍ରତିଦ୍ବନ୍ଦ୍ବୀତା ଅଧିକ ଜୋରଦାର ହୋଇଛି । ପଞ୍ଜାବ ୧୨ଟି ମ୍ୟାଚ୍ରୁ ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି । ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟ ସମାନ ୧୦ ପଏଣ୍ଟ ରହିଛି । ମାତ୍ର ନେଟ୍ ରନ୍ରେଟ୍ ଆଧାରରେ ପଞ୍ଜାବ ଆଗରେ ରହିଛି । ଅନ୍ୟପଟେ କୋଲାକାତା ନାଇଟ ରାଇଡର୍ସ ପଞ୍ଜାବ ବିପକ୍ଷରେ ପରାଜୟ ସତ୍ତ୍ବେ ଚତୁର୍ଥ ସ୍ଥାନରେ ସ୍ଥିର ରହିଛି ।
ମାତ୍ର ଶନିବାର ଖେଳାଯାଉଥିବା ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ ଯଦି ମୁମ୍ବାଇ ବିଜୟୀ ହୁଏ ତେବେ କୋଲକାତାକୁ ହଟାଇ ଚତୁର୍ଥ ସ୍ଥାନରେ ପହଞ୍ଚିଯିବ । ତେବେ ରବିବାର ସୁଦ୍ଧା ପ୍ଲେ-ଅଫ୍ ଚିତ୍ର ସ୍ପଷ୍ଟ ହୋଇଯିବ ।
ଆଇପିଏଲ ୨୦୨୧ର ୪୫ତମ ମ୍ୟାଚ୍ ଶେଷ ପରେ ନଜର ପକାନ୍ତୁ କିପରି ରହିଛି ପ୍ଲେ-ଅଫ୍ ସମୀକରଣ:
- ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ-ଅଫ୍ ଟିକେଟ ହାସଲ କରିସାରିଛି । ତେବେ ଲିଗ୍ ମ୍ୟାଚ୍ ଶେଷ ସୁଦ୍ଧା ଟିମ ଶୀର୍ଷ ଦୁଇଟି ଟିମ ମଧ୍ୟରେ ରହିବାର ସମ୍ଭାବନା ଅଧିକ ।
- ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଦ୍ବିତୀୟ ଟିମ ଭାବେ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି ।
- ତୃତୀୟ ଟିମ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପଏଣ୍ଟ ଦୃଷ୍ଟିରୁ ପ୍ଲେ-ଅଫ୍ରେ ପ୍ରବେଶ କରିବା ସମ୍ଭାବନା ଅଧିକ । ଶୀର୍ଷ ଦୁଇ ଟିମ ମଧ୍ୟରେ ଲିଗ୍ ପର୍ଯ୍ୟାୟ ଶେଷ କରିବା ସୁଯୋଗ ମଧ୍ୟ RCB ପାଖରେ ରହିଛି ।
- ଶୁକ୍ରବାର ପଞ୍ଜାବ ଠାରୁ ପରାଜୟ ପରେ ମଧ୍ୟ ଚତୁର୍ଥ ସ୍ଥାନରେ ସ୍ଥିର ରହିଛି କୋଲକାତା ନାଇଟ ରାଇଡର୍ସ । ଶୀର୍ଷ ୪ଟି ଟିମ ମଧ୍ୟରେ ରହି ଟିମର ପ୍ଲେ-ଅଫ୍ ଖେଳିବା ଆଶା ଉଜ୍ଜିବୀତ ରହିଛି ।
- ପଞ୍ଜାବ କିଙ୍ଗ୍ସ(PBKS) ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି । କୋଲକାତା ସହ ସମାନ ୧୦ ପଏଣ୍ଟ ଥିଲେ ମଧ୍ୟ ରନ୍ ରେଟ୍ ଆଧାରରେ ପଛରେ ରହିଛି କେଏଲ ରାହୁଲଙ୍କ ଟିମ । ପଞ୍ଜାବର ପ୍ଲେ-ଅଫ୍ ଆଶା ମଧ୍ୟ ଉଜ୍ଜିବୀତ ରହିଛି ।
- ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଥିବାବେଳେ ପ୍ଲେ-ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ଆଶା କମ ରହିଛି ।
- ସନରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ୍ ରେସ୍ରୁ ବାଦ୍ ପଡିସାରିଛି ।
- ଫଳରେ ସମୀକରଣ ଏହା ରହିଛି ଯେ, ଚେନ୍ନାଇ, ଦିଲ୍ଲୀ ଓ ବାଙ୍ଗାଲୋର ପ୍ଲେ-ଅଫ୍ ଖେଳିବା ନିଶ୍ଚିନ୍ତ ପରେ ଶେଷ ତଥା ଚତୁର୍ଥ ସ୍ଥାନ ପାଇଁ କୋଲକାତା, ପଞ୍ଜାବ, ରାଜସ୍ଥାନ ଓ ମୁମ୍ବାଇ ମଧ୍ୟରେ ଲଢେଇ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ