ଆବୁଧାବି: ଆଇପିଏଲର ୩୧ତମ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସର ଦମଦାର ବିଜୟ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୯ ୱିକେଟରେ ହରାଇଲା କୋଲକାତା ନାଇଟ ରାଇଡର୍ସ । ବୋଲରଙ୍କ ଘାତକ ବୋଲିଂ ବଳରେ RCBକୁ ମାତ୍ର ୯୨ ରନ୍ରେ ଅଲଆଉଟ କରିବା ପରେ ସହଜ ବିଜୟ ହାସଲ କରିଛି KKR । ୯୩ ରନ୍ର ବିଜୟ ଲକ୍ଷ୍ୟକୁ ମାତ୍ର ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା କୋଲକାତା ।
ଓପନର ଶୁଭମନ ଗିଲ୍ ୩୪ ବଲ୍ରୁ ୬ ଚୌକା ଓ ଗୋଟିଏ ଛକା ସହାୟତାରେ ୪୮ ଓ ଡେବ୍ୟୁ ମ୍ୟାଚ ଖେଳୁଥିବା ଭେଙ୍କଟସ ଆୟର ୨୭ ବଲ୍ରୁ ଦ୍ରୁତ ୪୧ ରନ୍ର ଇଂନିସ ଖେଳି କୋଲକାତାକୁ ବିଜୟୀ କରାଇଛନ୍ତି । ୧୦ ଓଭରରେ ଗିଲ୍ଙ୍କ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା KKR ।
ପୂର୍ବରୁ, ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ର ରସେଲଙ୍କ ଘାତକ ବୋଲିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ସମର୍ଥ ହୋଇପାରିନଥିଲା । ୧୯ ଓଭର ମଧ୍ୟରେ ୯୨ ରନ୍ରେ ସମସ୍ତ ୱିକେଟ ହରାଇଥିଲା । ଆବୁଧାବିର ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ KKR ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ରନ୍ ସଂଗ୍ରହ କରିବାକୁ ସଂଘର୍ଷ କରିଥିଲେ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ । ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ । ଏପରିକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । ଦେବଦତ୍ତ ପାଦିକ୍କଲ ୨୦ ବଲ୍ରୁ ୩ ଚୌକା ସହିତ ୨୨ ରନ୍ର ଯୋଗଦାନ କରିଥିଲେ । ଶ୍ରୀକର ଭାରତ ୧୬ ଓ ମାକ୍ସୱେଲ ୧୦ ରନ୍ କରିଥିଲେ । କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭେଟେରାନ ଏବି ଡିଭିଲିୟର୍ସ ଫେଲ୍ ମାରିଥିଲେ ।
କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୧୩ ରନ୍ ବ୍ୟୟ କରି ୩ଟି ୱିକେଟ ଅକ୍ତିଆର କରିଥିଲେ । ଆନ୍ଦ୍ରେ ରସେଲ ମଧ୍ୟ ୩ ଓଭର ବୋଲିଂ କରି ୯ ରନ୍ ବ୍ୟୟରେ ୩ଟି ୱିକେଟ ହାସଲ କରିଥିଲେ । ଲୁକି ଫର୍ଗୁସନ ୨ଟି ଓ ପ୍ରସିଦ୍ଧ କ୍ରୀଷ୍ଣା ଗୁରୁତ୍ବପୂର୍ଣ୍ଣ କୋହଲିଙ୍କ ୱିକେଟ ଦଖଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ