ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର (IPL 2022) 47ତମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ(KKR) ଓ ରାଜସ୍ଥାନ ରୟାଲ୍ସ(RR) ମଧ୍ୟରେ ଖେଳାଯିବ । ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ପୂର୍ବରୁ ଶ୍ରେୟସ ଆୟରଙ୍କ ନେତୃତାଧୀନ KKR ଓ ସଞ୍ଜୁ ସାମସନଙ୍କ ନେତୃତାଧୀନ ରୟାଲ୍ସ ପରସ୍ପରକୁ ଏପ୍ରିଲ 18 ତାରିଖରେ ଭେଟିଥିଲେ ।
ଆଜିର ମ୍ୟାଚ୍ ଉଭୟ ଟିମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ଥିବାବେଳେ ଶୀର୍ଷ 4 ଟିମ ମଧ୍ୟରେ ରହି ପ୍ଲେ-ଅଫ୍ ଖେଳିବାକୁ ଲଢେଇ ଆରମ୍ଭ ହୋଇସାରିଛି । ଏପରି ସ୍ଥିତିରେ ଏହି ମ୍ୟାଚ୍କୁ ଜିତି ବିଜୟ ଟ୍ରାକ୍କୁ ଫେରିବା ଲକ୍ଷ୍ୟ ରଖିଛି କୋଲକାତା । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷ 2 ସ୍ଥାନ ମଧ୍ୟରେ ରହିବାକୁ ଚେଷ୍ଟା କରିବ ।
ଏହା ବି ପଢନ୍ତୁ...IPL 2022: ସନରାଇଜର୍ସକୁ 13 ରନରେ ହରାଇଲା ସୁପରକିଙ୍ଗ୍ସ
ଉଭୟ ଦଳ ନିଜର ପୂର୍ବ ମ୍ୟାଚ୍ରେ ପରାଜିତ ହୋଇଥିବାରୁ ଏହି ମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଆଇପିଏଲ ୨୦୨୨ରେ ଦମଦାର ଆରମ୍ଭ କରିଥିବା ରାଜସ୍ଥାନ ଗତ ମ୍ୟାଚ୍ରେ ପରାଜିତ ହୋଇଥିଲା । ରାଜସ୍ଥାନର ସବୁ ଖେଳାଳି ଭଲ ଫର୍ମରେ ଅଛନ୍ତି । ଜସ୍ ବଟଲର, ସଞ୍ଜୁ ସାମସନ, ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜଭେନ୍ଦର ଚହଲଙ୍କ ପ୍ରଦର୍ଶନ ଭଲ ରହିଛି । ଆଜି ସେମାନେ ସଫଳ ହେଲେ ବିଜୟ ସହଜ ହେବ । ରାଜସ୍ଥାନକୁ କୋଲକାତା ବିପକ୍ଷ ମୁକାବିଲା ଜିତିବାକୁ ହୁଏ ତେବେ ଓପନିଂ ବ୍ୟାଟରଙ୍କ ସହ ବୋଲରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।
ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ଗତ ମ୍ୟାଚ୍ରେ ଦୁର୍ବଳ ବୋଲିଂ କରିଥିଲା । ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଏହି ସଂସ୍କରଣ ଏଯାବତ ନିରାଶଜନକ ରହିଛି । ଗତ ସିଜିନରେ କେକେଆର ପାଇଁ ଧମାଲ କରିଥିବା ଭେଙ୍କଟେଶ ଆୟର ମଧ୍ୟ ଫର୍ମରେ ନାହାନ୍ତି । ମୋଟାମୋଟି ଆଜିର ମ୍ୟାଚ୍ କେକେଆର ପାଇଁ ପରୀକ୍ଷା ସଦୃଶ ହେବ । ଦଳ ଏହି ମୁକାବିଲା ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ । ଏଯାଏଁ ଦଳ 9ଟି ମ୍ୟାଚ୍ ଖେଳି 3ଟି ଜିତିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ