ମୁମ୍ବାଇ: ଧୋନି ପୁଣି ସେନାପତି ଭାର ସମ୍ଭାଳୁ ସମ୍ଭାଳୁ ସୁପରକିଙ୍ଗ୍ସକୁ ସଫଳତା । ଅଧନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବ ପାଇଁ ଦଳ ପୂର୍ବ ଚମକକୁ ଫେରିଛି । ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର (IPL 2022) ୪୬ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦକୁ 13 ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ଦୁଇ ଓପନର ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେଙ୍କ ଜବରଦସ୍ତ ଇଂନିସ ଓ ବୋଲରଙ୍କ କମାଲ ପାଇଁ ଦଳ ତୃତୀୟ ବିଜୟ ହାସଲ କରିଛି । ଏହି ସଫଳତା ଦଳ ପାଇଁ ପ୍ଲେ ଅଫ ଆଶା ଉଜ୍ଜୀବିତ କରିଛି । ଋତୁରାଜ ଗାଏକ୍ବାଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ପ୍ରଥମେ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଏକ ବିଶାଳ ସ୍କୋର କରିଥିଲା । ଦୁଇ ଓପନର ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେଙ୍କ ଜବରଦସ୍ତ ଇଂନିସ ବଳରେ ଦଳ ପାଇଁ ଉପଯୋଗୀ ହୋଇଥିଲା । ଋତୁରାଜ ୫୭ ବଲ୍ରୁ ୬ଟି ଚୌକା ଓ ୬ଟି ଛକା ସହାୟତାରେ ୯୯ ରନ୍ର ମାରାଥନ ଇଂନିସ ଖେଳିଥିଲେ। ମାତ୍ର ଗୋଟିଏ ରନ୍ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଶତକରୁ ବଞ୍ଚିତ ହୋଇଥିଲେ । ସେହିପରି ଅନ୍ୟତମ ଓପନର କନୱେ ୫୫ ବଲ୍ରୁ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୮୫ ରନ୍ର ଦମଦାର ଇଂନିସ ଖେଳିଥିଲେ ।
ଉଭୟଙ୍କ ମଧ୍ୟରେ ୧୮୨ ରନ୍ର ଭାଗିଦାରୀ ହୋଇଥିଲା । ମହେନ୍ଦ୍ର ସିଂହ ଧୋନି ବଡ୍ ସଟ୍ ଖେଳିବାକୁ ଆସିଥିଲେ ମଧ୍ୟ ବିଶେଷ ସଫଳ ହୋଇନଥିଲେ । 8ଟି ବଲରୁ 7 ରନ କରି ଉମ୍ରାନଙ୍କ ଶିକାର ହୋଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା CSK । ଫଳରେ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ ୨୦୩ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଅନ୍ୟପଟେ ଭୁବନେଶ୍ବର କୁମାରଙ୍କ ବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦର ଅନ୍ୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଟି ନଟରାଜନ ଏକମାତ୍ର ବୋଲର ଭାବେ ଦୁଇଟି ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ଭୁବନେଶ୍ବର କୁମାର ୪ ଓଭରରେ ମାତ୍ର ୨୨ ରନ୍ ବ୍ୟୟ କରିଥିଲେ ।
ଏହା ବି ପଢନ୍ତୁ...IPL 2022: ଦିଲ୍ଲୀକୁ ହରାଇ ପ୍ଲେ-ଅଫ୍ ଆଡକୁ ପାଦେ ଆଗେଇଲା ଲକ୍ଷ୍ନୌ
203 ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲେ ଅରେଞ୍ଜ ଆର୍ମି । କେନ ୱିଲିୟମସନ ଓ ଅଭିଶେକ ଚୌଧୁରୀ ଭଲ ଆରମ୍ଭ କରିଥିଲେ । ଦୁଇ ଓପନରଙ୍କ ମଧ୍ୟରେ 50ରନ ଭାଗିଦାରୀ ହୋଇଥିଲା । ଦଳୀୟ ସ୍କୋର 58 ବେଳକୁ ଅଭିଶେକ ଚୌଧୁରୀ (39) ଆଉଟ ହୋଇଥିଲେ । ପରେ ରାହୁଲ ତ୍ରିପାଠୀ ଖାତା ଖୋଲି ନପାରି ମୁକେଶ ଚୌଧୁରୀଙ୍କ ଶିକାର ହୋଇଥିଲେ । ଦଳୀୟ ସ୍କୋର 88ରେ ଦଳର ଆଉ ଏକ ୱିକେଟ ପତନ ହୋଇଥିଲା । ଆଡେନ ମାର୍କରମ 17 ରନ କରି ମିଚେଲଙ୍କ ଶିକାର ହୋଇଥିଲେ । କେନ ୱିଲିୟମସନ ସ୍ଥିତି ସମ୍ଭାଳି ଖେଳିଥିଲେ । ତାଙ୍କୁ ସାଥ ଦେଇଥିଲେ ପୁରନ। ଦଳୀୟ ସ୍କୋର 124ରେ ୱିଲିୟମସନ 47 ରନ କରି ଆଉଟ ହୋଉଥିଲେ । ଶେଷ ଆଡକୁ ଦଳ ପାଇଁ 40 ବଲରେ 83 ରନର ଆବଶ୍ୟକତା ଥିଲା । ପୁଣି ଆଉ ଏକ ୱିକେଟ ପତନ ହୋଇଥିଲା । ଶଶାଙ୍କ ସିଂହ 15 ରନ କରି ପାଭିଲିୟନ ଫେରିଥିଲେ । ପରେ ପରେ ୱାଶିଂଟନ ସୁନ୍ଦର ଆଉଟ ହୋଇଥିଲେ ।
ଦଳୀୟ ସ୍କୋର 153 ବେଳକୁ 6 ୱିକେଟ ହରାଇଥିଲା ହାଇଦ୍ରାବାଦ । ପୁରନ ବ୍ୟାଟିଂ ଜାରି ରଖିଥିଲେ । ହେଲେ ଦଳକୁ ବିଜୟୀ କରି ପାରନଥିଲେ । ନିକୋଲାସ ପୁରନ ୬୪ ରନର ଧୂଆଁଧାର ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇ ପାରି ନଥିଲେ । ଅଧିନାୟକ କେନ ଓ୍ଵିଲିୟମସନ ୪୭ ଏବଂ ଅଭିଷେକ ଶର୍ମା ୩୯ ରନ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ୬ ଓ୍ଵିକେଟ୍ ହରାଇ ୧୮୯ ରନ କରିବାକୁ ସକ୍ଷମ ହୋଇଥିଲା। ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୪୬ ରନ ଦେଇ ୪ ଓ୍ଵିକେଟ୍ ହାସଲ କରି ଦଳର ବିଜୟରେ ଉଲ୍ଲେଖନୀୟ ଯୋଗଦାନ କରିଥିଲେ ।