ମୁମ୍ବାଇ: ଏକାଧିକ ଖେଳାଳି କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ, ଆଇପିଏଲର 14ତମ ସଂସ୍କରଣକୁ ସ୍ଥଗିତ ରଖିବାକୁ ବିସିସିଆଇ ବଡ ନିଷ୍ପତ୍ତି ନେଇଛି । ବୋର୍ଡର ଏହି ନିଷ୍ପତ୍ତିକୁ ମେଗା ଟୁର୍ଣ୍ଣାମେଣ୍ଟର ପ୍ରସାରଣକାରୀ ସଂସ୍ଥା ଷ୍ଟାର ଇଣ୍ଡିଆ ସ୍ବାଗତ କରିଛି ।
ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ଓ ବିସିସିଆଇର ଏକ ଜରୁରିକାଳୀନ ବୈଠକ ବସିଥିଲା । ଏଥିରେ ସର୍ବସମ୍ମତି କ୍ରମେ ଆଇପିଏଲ 2021 ସଂସ୍କରଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା ।
ଏହି ଖବର ସାମ୍ନାକୁ ଆସିବା ପରେ ଦେଶର ଅଗଣିତ କ୍ରିକେଟ ପ୍ରେମୀ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ନିଷ୍ପତ୍ତିକୁ ଗ୍ରହଣ କରିଥିଲେ । ପ୍ରସାରଣ ମାନ୍ୟତା ହାସଲ କରିଥିବା ଷ୍ଟାର ଇଣ୍ଡିଆ ମଧ୍ୟ ବିସିସିଆଇ, ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ଓ ଫ୍ରାଞ୍ଜାଇଜଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛି ।
ଟୁର୍ଣ୍ଣାମେଣ୍ଟ ସ୍ଥଗିତ ନିଷ୍ପତ୍ତି ପରେ ଆଇପିଏଲ 2021ର ସମସ୍ତ ଅଂଶଗ୍ରହଣକାରୀ ସୁରକ୍ଷିତ ଭାବେ ଘରେ ପହଞ୍ଚିବା ନେଇ ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ବିସିସିଆଇ ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3,57,229 ନୂଆ କୋଭିଡ ପଜିଟିଭ କେସ ଚିହ୍ନଟ ହୋଇଛନ୍ତି ଓ 3,449 ଜଣଙ୍କ ଜୀବନ ଯାଇଛି । ଭାରତ ସରକାରଙ୍କ ତଥ୍ଯ ଅନୁଯାୟୀ, ଦେଶରେ ବର୍ତ୍ତମାନ 34,47,133 ସକ୍ରିୟ କୋଭିଡ-19 ମାମଲା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ