ଦୁବାଇ: ସୁସ୍ଥ ହେଲେ କ୍ରିଶ ଗେଲ୍। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରୋଧରେ ପଡ଼ିଆକୁ ଓହ୍ଲାଇପାରନ୍ତି କିଙ୍ଗସ୍ ଏକାଦଶ ପଞ୍ଜାବର ଏହି ଦମଦାର କ୍ରିକେଟର । ଅସୁସ୍ଥତା କାରଣରୁ ଚଳିତ ଆଇପିଏଲ ସିଜିନରେ ଗୋଟିଏ ବି ମ୍ୟାଚ ଖେଳି ପାରିନାହାଁନ୍ତି କ୍ରିଶ ଗେଲ। ତେବେ ସେ ସୁସ୍ଥ ହୋଇଥିବା ନେଇ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ସୂଚନା ମିଳିଛି ।
ଫୁଡ ପଏଜନିଂ ଯୋଗୁଁ ଏଯାଏଁ ଏହି 41 ବର୍ଷୀୟ ଖେଳାଳୀ ଆଇପିଏଲ 2020ରେ ନିଜର ଜଲୱା ଦେଖାଇ ପାରିନଥିଲେ। ଆଇପିଏଲ ଆରମ୍ଭରୁ ହିଁ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଫଳରେ ଓପନିଂ ଯୋଡ଼ି ପାଇଁ କିଙ୍ଗସ ଏକାଦଶ ପଞ୍ଜାବକୁ ବହୁ କସରତ କରିବାକୁ ପଡ଼ିଥିଲା। ତେବେ କ୍ରିଶ ଗେଲ ଦଳରେ ସାମିଲ ହେବାପରେ ଦଳର ମନୋବଳ ନିଶ୍ଚିତ ଭାବରେ ବୃଦ୍ଧି ପାଇବ।
ତେବେ ଦଳରେ କ୍ରିଶ ସାମିଲ ହେବାପରେ ଅଷ୍ଟ୍ରେଲିୟ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲଙ୍କୁ ଚୂଡ଼ାନ୍ତ 11 ଜଣଙ୍କ ମଧ୍ୟରେ ସ୍ଥାନ ମିଳିବା ମୁସ୍କିଲ ହୋଇପାରେ। ଏଯାଏଁ ଗ୍ଲେନ ମ୍ୟାକ୍ସୱେଲ ସେତେଟା ଭଲ ପ୍ରଦର୍ଶନ କରିନାହାନ୍ତି। ଏହାସହ କେ.ଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରୁ ଜଣଙ୍କୁ 3 ନମ୍ବରରେ ବ୍ୟାଟିଂ କରିବାକୁ ପଡ଼ିବ। କ୍ରିଶ ଗେଲ ସୁସ୍ଥ ହୋଇ ଟ୍ରେନିଂକୁ ଫେରିଥିବା ନେଇ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।