କୋଲକାତା: ଆଇପିଏଲ ୧୨ରେ ବିଜୟଧାରା ବଜାୟ ରଖିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର) । ଘରୋଇ ପଡିଆରେ ପୁଣି କମାଲ କରିଛି ଦଳ । ବୁଧବାର କିଙ୍ଗ୍ସ ଏକାଦଶ ପଞ୍ଜାବକୁ ମାତ ଦେଇ ଦଳଲଗାତାର 2ୟ ବିଜୟ ହାସଲ କରିଛି ।
ଆଇପିଏଲର 6ଷ୍ଠ ମ୍ୟାଚରେ ପଞ୍ଜାବ-କୋଲକାତା ମଧ୍ୟରେ ମୁକାବିଲା ହୋଇଥିଲା । ଏହି ହାଇ ସ୍କୋରିଙ୍ଗମୁକାବିଲାକୁ କେକେଆର ୨୮ ରନରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି କେକେଆର ପଞ୍ଜାବକୁ୨୧୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ପଞ୍ଜାବ ୪ ୱିକେଟ୍ ହରାଇ ୧୯୦ ରନ କରିପାରିଥିଲା । ଅଲରାଉଣ୍ଡର ପ୍ରଦର୍ଶନ ପାଇଁ କୋଲକାତାର ଆନ୍ଦ୍ରେ ରସେଲ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ପ୍ରଥମରୁ ପଞ୍ଜାବ ବିସ୍ଫୋରକ ଓପନର କ୍ରିସ ଗେଲ୍ (୨୦ ରନ, ୧୩ ବଲ, ୨ଚୌକା, ୨ ଛକା)ଙ୍କୁ ହରାଇଥିଲା। ପରେ ମୟଙ୍କ ଅଗ୍ରୱାଲ (୫୮ ରନ, ୩୪ ବଲ, ୬ ଚୌକା, ୧ ଛକା) ଓ ଡେଭିଡ୍ ମିଲର (୫୯ ନଟଆଉଟ, ୪୦ ବଲ, ୫ ଚୌକା, ୩ ଛକା) 74 ରନ ଯୋଡିଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନଥିଲା । କେକେଆର ପକ୍ଷରୁ ରସେଲ 2ଟି ୱିକେଟ୍ ନେଇଥିଲେ । ପ୍ରଥମ ମ୍ୟାଚରେ ଜିତିଥିବା ପଞ୍ଜାବ 2ୟ ମ୍ୟାଚରେ ପରାଜୟ ବରଣ କରିଛି ।
ଟସ ହାରି ବ୍ୟାଟିଂ ପାଇଥିବା କୋଲକାତା ପକ୍ଷରୁ ଓପନର ସୁନୀଲ ନାରାୟଣ ବିସ୍ଫୋରକ ବ୍ୟାଟିଂ କରିଥିଲେ । 9ଟି ବଲରୁ 3ଟି ଛକା ଓ 1ଟି ଚୌକା ସହ ସେ 24 ରନ କରିଥିଲେ । ରବିନ ଉଥାପ୍ପା ୬୭ ରନ (୫୦ ବଲ, ୬ ଚୌକା, ୨ ଛକା)ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ପୂର୍ବ ମ୍ୟାଚର ସଫଳ ଖେଳାଳି ନୀତିଶ ରାଣା (୬୩ ରନ, ୩୪ ବଲ, ୨ ଚୌକା, ୭ ଛକା) ଆଉ ଏକ ବିସ୍ଫୋରକ ପାଳି ଖେଳିଥିଲେ । ତେବେ ଶେଷ ଆଡକୁ ପୁଣିଥରେ ଆନ୍ଦ୍ରେ ରସେଲ (୪୮ ରନ, ୧୭ ବଲ, ୩ ଚୌକା, ୫ ଛକା)ଙ୍କ ବ୍ୟାଟିଂ ଦଳକୁ ୨୦୦ ରନ ପାର କରିଥିଲା ।
ସମସ୍ତ ପଞ୍ଜାବ ବୋଲର କେକେଆର ବ୍ୟାଟ୍ସମ୍ୟାନଙ୍କ ଠାରୁ ନିର୍ଧୂମ ପ୍ରହାର ଖାଇଥିଲେ । ଏହା ଆଇପିଏଲ ଇତିହାସରେ ଇଡେନ ଗାର୍ଡେନ୍ସରେ ସର୍ବାଧିକ ଦଳଗତ ସ୍କୋର । ଏହି ବିଜୟ ସହ ପଏଣ୍ଟ ଟେବୁଲରେ 2ୟ ସ୍ଥାନକୁ ଉଠିଛି କେକେଆର ।