ଇସଲାମାବାଦ: ପାକିସ୍ତାନ ଗସ୍ତରୁ ଓହରିଲେ ଜିମ୍ବାୱେର ମୁଖ୍ୟକୋଚ୍ ଲାଲଚାନ୍ଦ ରାଜପୁତ। ସୀମିତ ଓଭର ସିରିଜ ଖେଳିବାକୁ ପାକିସ୍ତାନ ପହଞ୍ଚିଛି ଜିମ୍ବାୱେ କ୍ରିକେଟ ଟିମ। ତେବେ ଏହି ଗସ୍ତରୁ ଓହରିଯିବା ପାଇଁ ଜିମ୍ବାୱେର ହରାରେ ଥିବା ଭାରତୀୟ ଦୂତାବାସରୁ ପକ୍ଷରୁ ରାଜପୁତଙ୍କୁ ପରାମର୍ଶ ଦିଆଯାଇଥିଲା।
ତେବେ ଏହାପୂର୍ବରୁ ହରାରେରେ ଥିବା ପାକିସ୍ତାନ ଦୂତାବାସରୁ ରାଜପୁତଙ୍କୁ ଅକ୍ଟୋବର ଓ ନଭେମ୍ବର ମାସରେ ପାକିସ୍ତାନ ବିପକ୍ଷରେ ସିରିଜ ପାଇଁ ଭିସା ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏନେଇ ଜିମ୍ବାୱେ କ୍ରିକେଟ ବୋର୍ଡ ସଫେଇରେ କହିଛି ଯେ, ଜିମ୍ବାୱେର ମୁଖ୍ୟ କୋଚ ଲାଲଚାନ୍ଦ ରାଜପୁତ ପାକିସ୍ତାନ ଗସ୍ତରୁ ମୁକ୍ତ ରଖାଯାଇଛି। ହରାରେରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଲାଲଚାନ୍ଦଙ୍କୁ ଏହି ଗସ୍ତରୁ ମୁକ୍ତ ରଖିବାକୁ ନିବେଦନ କରାଯାଇଥିଲା। ଏଥିପାଇଁ ମଙ୍ଗଳବାର ଜିମ୍ବାୱେ ସହ ପାକିସ୍ତାନ ଗସ୍ତରୁ ତାଙ୍କୁ ମୁକ୍ତ ରଖାଯାଇଛି।
ପାକିସ୍ତାନ ବିପକ୍ଷରେ 3ଟି ଦିନିକିଆ ମ୍ୟାଚ ଓ 3ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ ଜିମ୍ବାୱେ। ଏହାପରେ ଆଇସିସି ବିଶ୍ବକପ ପାଇଁ ସୁପର ଲିଗ ମୁକାବିଲା ଖେଳାଯିବ। ଅକ୍ଟୋବର 30, ନଭେମ୍ବର 1 ଓ ନଭେମ୍ବର ଦିନିକିଆ ତାରିଖରେ ରାୱଲପିଣ୍ଡିରେ ଏହି ଦିନିକିଆ ମ୍ୟାଚ ଖେଳାଯିବ। ଏହାପରେ ନଭେମ୍ବର 7, 8 ଓ 10 ତାରିଖରେ ଲାହୋରରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ।
ଏହି ଗସ୍ତରେ ଲାଲଚାନ୍ଦ ରାଜପୁତଙ୍କ ଅନୁପସ୍ଥିତିରେ ଜିମ୍ବାୱେର ବୋଲିଂ କୋଚ ଡୋଗଲାସ ହୋଣ୍ଡୋ ମୁଖ୍ୟକୋଚ ଭୂମିକା ବହନ କରିବେ। ଏନେଇ ଜିମ୍ବାୱେ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବତନ ଭାରତୀୟ କ୍ରିକେଟର ଲାଲଚାନ୍ଦ ରାଜପୁତ ଭାରତ ପକ୍ଷରୁ 4ଟି ଦିନିକିଆ ମ୍ୟାଚ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। 2007 ମସିହାରେ ଭାରତୀୟ ଟି-ଟ୍ବେଣ୍ଟି ଦଳର ସେ ଟିମ ମ୍ୟାନେଜର ଭୂମିକା ବହନ କରିଥିଲେ। ଏହାପରେ 2018 ମସିହାରେ ତାଙ୍କୁ ଜିମ୍ବାୱେର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କୋଚ ନିଯୁକ୍ତ କରାଯାଇଥିଲା। ଏହାପରେ ସେହି ବର୍ଷ ଅଗଷ୍ଟ ମାସରେ ତାଙ୍କୁ ସ୍ଥାୟୀ ମୁଖ୍ୟକୋଚ ଭାବେ ନିଯୁକ୍ତ କରିଥିଲା ଜିମ୍ବାୱେ ମୁଖ୍ୟକୋଚ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ