ନଟିଂହାମ: ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଟିମ ଦୂରହମରୁ ନଟିଂହାମ ପହଞ୍ଚିଛି । ଟ୍ରେଣ୍ଟବ୍ରିଜ କ୍ରିକେଟ ଷ୍ଟାଡିୟମରେ ଅଗଷ୍ଟ ୪ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ଟିକିଆ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ପୂର୍ବରୁ ଶେଷ ପ୍ରସ୍ତୁତି କରୁଛି ।
ସାଉଥାମ୍ପଟନରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିସାରି ୩ ସପ୍ତାହ ବ୍ରେକ ପରେ, ଭାରତୀୟ ଟିମ ୨୦-୨୨ ଜୁଲାଇ ପର୍ଯ୍ୟନ୍ତ କାଉଣ୍ଟି ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିଥିଲା । ଏହାପରେ, ଭାରତୀୟ ଟିମ ଦୂରହମରେ ଶେଷ ପର୍ଯ୍ୟାୟ ଅଭ୍ୟାସ ଜାରି ରଖିଥିଲା ।
ଆହତ ଯୋଗୁଁ ବାଦ ପଡିଥିବା ୱାସିଂଟନ ସୁନ୍ଦର ଓ ଅବେଶ ଖାନଙ୍କ ସ୍ଥାନରେ ପୃଥ୍ବୀ ଶ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ବଦଳ ଖେଳାଳି ଭାବେ ଚୟନ କରାଯାଇଛି । ଇଂଲଣ୍ଡରେ ଟେଷ୍ଟ ଟିମ ସହ ଏହି ଦୁଇ ଖେଳାଳି ସାମିଲ ହେବେ । ଅବେଶ ଓ ୱାସିଂଟନ ଘରକୁ ଫେରିସାରିଛନ୍ତି । ଏହାପୂର୍ବରୁ ଶୁଭମନ ଗିଲ୍ ମଧ୍ୟ ଆହତ କାରଣରୁ ଘରକୁ ଫେରିଛନ୍ତି ।
ଭାରତୀୟ ଟିମ: ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ), ହନୁମା ବିହାରୀ, ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜଶପ୍ରୀତ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା, ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ ଓ ଅଭିମନ୍ୟୁ ଇଶ୍ବରନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ