ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ରବିବାର ମାଞ୍ଚେଷ୍ଟରରେ ଖେଳାଯିବ । ପ୍ରଥମ ମ୍ୟାଚ୍କୁ ୧୦ ୱିକେଟରେ ଏକତରଫା ଜିତିଥିଲା ଭାରତ, ମାତ୍ର ଲର୍ଡ୍ସରେ ଦ୍ବିତୀୟ ଦିନିକିଆରେ ଘରୋଇ ଦଳ ୧୦୦ ରନ୍ରେ ବିଜୟୀ ହେବାସହ ସିରିଜ ବରାବର କରିଥିଲା । ଫଳରେ ୧-୧ରେ ସିରିଜ ବରାବର ରହିଥିବାବେଳେ ନିର୍ଣ୍ଣାୟକ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯିବ । ସିରିଜ ଜିତିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ ।
ସୁପର ସନ୍ଡେରେ ସିରିଜ ବିଜେତା ନିର୍ଣ୍ଣୟ ହେବାକୁ ଥିବାବେଳେ ଏହି ମ୍ୟାଚ୍କୁ ନେଇ ବଢୁଛି ଉତ୍କଣ୍ଠା । ତେବେ ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ପ୍ରଥମ ଦିନିକିଆ ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇ ଭାରତ ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା । ତେବେ ଦ୍ବିତୀୟ ଦିନିକିଆରେ ଭାରତର ବ୍ୟାଟିଂ ଫେଲ୍ ମାରିଥିଲା । ଯାହା ଫଳରେ ଭାରତକୁ ଇଂଲଣ୍ଡଠାରୁ ୧୦୦ ରନରେ ପରାସ୍ତ ହେବାକୁ ପଡିଥିଲା । ତେବେ ତୃତୀୟ ଦିନିକିଆ ମ୍ୟାଚରେ ତାହା ଉପରେ ବିଶେଷ ଦୃଷ୍ଟି ଦେଇପାରେ ରୋହିତ ବାହିନୀ ।
ପ୍ରଥମ ଦିନିକିଆ ମ୍ୟାଚରେ ଭାରତର ବୋଲିଂ ଦମଦାର ରହିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଧରାଶାୟୀ ହୋଇଥିଲା । ତେବେ ତୃତୀୟ ଦିନିକିଆ ମ୍ୟାଚରେ ଭାରତ ଉଭୟ ବୋଲିଂ ଏବଂ ବ୍ୟାଟିଂ ଉପରେ ଫୋକସ କରିବ ।
ସେହିପରି ଫର୍ମରେ ନଥିବା ବିରାଟ କୋହଲିଙ୍କ ଉପରେ କ୍ରିକେଟପ୍ରେମୀଙ୍କର ନଜର ରହିବ । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ନିରାଶ କରିଥିବା କୋହଲି ଦିନିକିଆ ୫୦ ଓଭର ମ୍ୟାଚରେ ନିଜକୁ ପ୍ରମାଣିତ କରିବା ପାଇଁ କ୍ରିଜରେ ଅଧିକ ସମୟ ପାଇବେ ବୋଲି ସମସ୍ତଙ୍କର ଆଶା ରହିଛି । ସିରିଜ ବରାବର ଥିବାରୁ ଇଂଲଣ୍ଡ ମଧ୍ୟ ତୃତୀୟ ଦିନିକିଆ ମ୍ୟାଚକୁ ନିଜ ସପକ୍ଷରେ ନେବାକୁ ସଂପୂର୍ଣ୍ଣ ଦମ ଲଗାଇବ । ଫଳରେ କ୍ରିକେଟପ୍ରେମୀଙ୍କୁ ଏକ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।