ସିଡନୀ: 27 ନଭେମ୍ବରରୁ ଅଷ୍ଟ୍ରେଲିଆ ଗସ୍ତ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଗୁରୁବାର ସିଡନୀରେ ପହଞ୍ଚିଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ଖେଳାଳିମାନେ ଆଇପିଏଲ -13ରେ ବିଭିନ୍ନ ଦଳ ପକ୍ଷରୁ ଅଂଶଗ୍ରହଣ କରିବା ପରେ ବୁଧବାର ରାତିରେ ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟରେ ଦଳର ଖେଳାଳିମାନେ ପିପିଇ କିଟ୍ ପିନ୍ଧିଥିଲେ ।
ଭାରତୀୟ ଦଳ ସହିତ ଆଇପିଏଲରେ ଅଂଶଗ୍ରହଣ କରିଥିବା ଅଷ୍ଟ୍ରେଲୀୟ ଖେଳାଳି ଷ୍ଟିଭ ସ୍ମିଥ ଏବଂ ଡେଭିଡ ୱାର୍ଣ୍ଣର ମଧ୍ୟ ସିଡନୀରେ ପହଞ୍ଚିଛନ୍ତି । ଉଭୟ ଦଳର ଖେଳାଳିମାନେ ବର୍ତ୍ତମାନ ଦୁଇ ସପ୍ତାହର ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିବେ । ନଭେମ୍ବର 27ରେ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦିନିକିଆରୁ ଭାରତର ଅଷ୍ଟ୍ରେଲିଆ ଗସ୍ତର ଯାତ୍ରା ଆରମ୍ଭ ହେବ । ଦ୍ବିତୀୟ ଦିନିକିଆ 29 ନଭେମ୍ବରରେ ସିଡନୀରେ ଏବଂ ତୃତୀୟ ଦିନିକିଆ ଡିସେମ୍ବର 2ରେ କାନବେରାରେ ଖେଳାଯିବ । ଏହା ପରେ ପ୍ରଥମ ଟି -20 ଡିସେମ୍ବର 4ରେ କାନବେରା, ଦ୍ବିତୀୟ ଟି-20 ଡିସେମ୍ବର-6 ଏବଂ ତୃତୀୟଟି 8 ଡିସେମ୍ବରରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ।
ଏଥିସହ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ 4ଟି ଟେଷ୍ଟ ଖେଳିବାକୁ ଯାଉଛି । ଯାହା ଟେଷ୍ଟ ଚାମ୍ପିଅନସିପର ଅଂଶ ହେବ ଏବଂ ବିଜେତା ଫାଇନାଲକୁ ଗୋଟିଏ ପାଦ ଆଗକୁ ଯିବ ।