ହାଇଦ୍ରାବାଦ: ଦୀର୍ଘ ଦିନ ଧରି ଓପନର୍ ରୋହିତ ଶର୍ମାଙ୍କ ଆଘାତକୁ ନେଇ କ୍ରିକେଟ୍ କରିଡରରେ ଏକ ବଡ଼ ଆଲୋଚନା ହୋଇଆସୁଛି । କିଛି ଦିନ ପୂର୍ବରୁ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ସମସ୍ତ ଫର୍ମାଟ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଥିଲା । ଯେଉଁଥିରେ ଚୟନକର୍ତ୍ତା ରୋହିତଙ୍କୁ ସ୍ଥାନ ଦେଇନଥିଲେ ।
ବାସ୍ତବରେ ପଞ୍ଜାବ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ ରୋହିତ ହାମଷ୍ଟ୍ରିଂ ଆଘାତର ଶୀକାର ହୋଇଥିଲେ । ଏହା ପରେ ସେ ନିଜକୁ 4ଟି ମ୍ୟାଚ୍ ଠାରୁ ଦୂରେଇ ରଖିଥିଲେ । କିନ୍ତୁ ବର୍ତ୍ତମାନ ରୋହିତ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ସେ ଫିଟ୍ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।
ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ଆଇପିଏଲ ଫାଇନାଲ ପରେ ନଭେମ୍ବର 11 ରେ ଚାର୍ଟାର୍ଡ ବିମାନରେ ଅଷ୍ଟ୍ରେଲିଆ ଯିବେ । ଇଣ୍ଡିଆନ୍ ପ୍ରିମିୟର ଲିଗର ଚଳିତ ସିଜନର ଫାଇନାଲ୍ 10 ନଭେମ୍ବରରେ ଦୁବାଇରେ ଖେଳାଯିବ । ସୂଚନାନୁସାରେ, ବୋର୍ଡ ଶୀଘ୍ର ଏ ବିଷୟରେ ନିଷ୍ପତ୍ତି ନେବ । ରୋହିତ ଦଳ ସହ ରହି ଫିଜିଓ ନିତିନ ପଟେଲ ଏବଂ ପ୍ରଶିକ୍ଷକ ନିକ୍ ପରାମର୍ଶ ନେବେ ଏବଂ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ପଡିଆକୁ ଓହ୍ଲାଇବେ ।