ସାଉଥାମ୍ପଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପାଇଁ ଭାରତ ଚୁଡାନ୍ତ ଏକାଦଶ ଘୋଷଣା କରିସାରିଛି । ତେବେ ଟସ୍ ହୋଇନଥିବାରୁ ମ୍ୟାନେଜମେଣ୍ଟ ଘୋଷିତ ଟିମରେ ପରିବର୍ତ୍ତନ କରିପାରିବେ । ପ୍ରଥମ ଦିନ ଖେଳ ବର୍ଷା ଯୋଗୁଁ ଧୋଇଯିବା ପରେ ଦ୍ବିତୀୟ ଦଜିନରେ ମଧ୍ୟ ମେଘୁଆ ପାଗ ରହିବ ବୋଲି କୁହାଯାଉଛି । ଫଳରେ ବର୍ଷା ଯୋଗୁଁ ପିଚ ସ୍ଥିତିକୁ ଦୃଷ୍ଟିରେ ରଖି ଘୋଷିତ ଟିମରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ଟସ୍ ହେବା ପର୍ଯ୍ୟନ୍ତ ଚୁଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରିବେ ଉଭୟ ଟିମ । ଉଭୟ ଟିମର କ୍ୟାପଟେନ ଟସ ସମୟରେ ଖେଳାଳିଙ୍କ ତାଲିକା ପରସ୍ପର ସହ ଅଦଳବଦଳ କରିବେ । ଟସ୍ ପରେ ଚୁଡାନ୍ତ ଏକଦାଶରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ।
ଭାରତୀୟ ଚୁଡାନ୍ତ ଏକାଦଶରେ ଦୁଇ ସ୍ପିନର ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନ ରହିଛନ୍ତି । ତେବେ ସାଉଥାମ୍ପଟନ ବାଓଲରେ ଓଦା ପାଣପାଗ ଓ ପବନ ବହୁଥିବାରୁ ପିଚ୍ ଦ୍ରୁତ ବୋଲରଙ୍କୁ ଅଧିକ ସୁହାଇବାର ସମ୍ଭାବନା ରହିଛି । ଫଳରେ ଜଣେ ସ୍ପିନରଙ୍କ ବଦଳରେ ଆଉ ଜଣେ ଦ୍ରୁତ ବୋଲରଙ୍କୁ ଖେଳାଇବାକୁ ଭାରତ ନିଷ୍ପତ୍ତି କରିପାରେ ବୋଲି ଚର୍ଚ୍ଚା ହେଉଛି ।
WTC ଫାଇନାଲ ଖେଳ ନିୟମ 1.2.1 ଅନୁଯାୟୀ, "ପ୍ରତ୍ୟେକ କ୍ୟାପଟେନ 11 ଜଣ ଖେଳାଳିଙ୍କୁ ମନୋନୀତ କରିବେ ଓ ଅତିବେଶୀରେ 4 ଜଣ ବିକଳ୍ପ ଫିଲ୍ଡରଙ୍କ ନାମ ଆଇସିସି ପକ୍ଷରୁ ଦିଆଯାଇଥିବା ସିଟ୍ରେ ଲେଖିବେ । ଏହାପରେ ମନୋନୟନ ପରେ ଚୁଡାନ୍ତ ଏକାଦଶର କୌଣସି ଖେଳାଳି ପ୍ରତିପକ୍ଷ କ୍ୟାପଟେନଙ୍କ ବିନା ପରାମର୍ଶରେ ପରିବର୍ତ୍ତନ ହେଇପାରିବେ ନାହିଁ । ଟସ୍ର ତୁରନ୍ତ ପରେ ଆଇସିସି ମ୍ୟାଚ ରେଫ୍ରୀ ଉଭୟ ଟିମ୍ଙ୍କ କ୍ୟାପଟେନଙ୍କ ସହ ମନୋନୀତ ଟିମ୍ ସିଟରେ ଥିବା ଖେଳାଳିଙ୍କ ନାମର ଯାଞ୍ଚ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ