ସାଉଥମ୍ପଟନ: ପଞ୍ଚମ ଟେଷ୍ଟ ପରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ବେଣ୍ଟି ସିରିଜ । ଏଜେସ ବାଉଲ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ଦଳ । ଟେଷ୍ଟ ମ୍ୟାଚରୁ ବାଦ ପଡିଥିବା ଅଧିନାୟକ ରୋହିତ ଶର୍ମା ଟି-ଟ୍ବେଣ୍ଟି ସିରିଜରେ ସାମିଲ ହୋଇଛନ୍ତି । ଟେଷ୍ଟ ପରାଜୟର ପ୍ରତିଶୋଧ ଟି-ଟ୍ବେଣ୍ଟିରେ ନେବାକୁ ଦଳ ଫୁଲ ପ୍ରସ୍ତୁତ ରହିଛି । ଯୁବ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ ।
ଆଜିର ମ୍ୟାଚରେ କ୍ୟାପ୍ଟଟେନ ରୋହିଲଙ୍କ ପ୍ରଦର୍ଶନ ଉପରେ ନଜର ରହିବ । କୋରୋନା ସଂକ୍ରମଣ ପାଇଁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିପାରିନଥିଲେ । ଆଜି ତାଙ୍କ ବ୍ୟାଟରୁ କିଛି ବଡ ସଟ ଆଶା କରୁଛନ୍ତି ଦର୍ଶକ । ଯୁବ ଖେଳାଳି ଭିତରେ ଦୀପକ ହୁଡା ଚର୍ଚ୍ଚାରେ ଅଛନ୍ତି ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ଫ୍ୟାନ୍ସଙ୍କ ନଜର ରହିଛି । ଆୟର୍ଲାଣ୍ଡ ବିପକ୍ଷରେ ସେ ଶତକ ଅର୍ଜନ କରିଥିଲେ । ପୂର୍ବ ଫର୍ମ ବଜାୟ ଜାରି ରଖିବାକୁ ଚେଷ୍ଟା କରିବେ ହୁଡା । ଦଳକୁ ଜିତିବାକୁ ଦେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିବାକୁ ହେବ ।
ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ କବାଜ କରିଥିବା ସମସ୍ତ ଖେଳାଳି ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜରେ ସାମିଲ ହୋଇଛନ୍ତି । ଏହି ସିରିଜ ଜରିଆରେ ଆଗାମୀ ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଶ୍ରେଷ୍ଠ ଦଳ ପ୍ରସ୍ତୁତ ହେବ । ଦ୍ବିତୀୟ ଟି-ଟ୍ବେଣ୍ଟିରେ ବିରାଟ କୋହଲି, ଶ୍ରେୟାସ ଆୟର, ରିଷବ ପନ୍ତ, ରବିନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରା କ୍ୟାମ୍ପକୁ ଫେରିବେ ।
ସେପଟେ ଇୟନ ମୋର୍ଗାନ ନେତୃତ୍ବ ଛାଡିବା ପରେ ଜୋସ ବଟଲରଙ୍କୁ ସୀମିତ ଓଭର ଦଳର ନେତୃତ୍ବ ମିଳିଛି । ବିସ୍ଫୋରକ ବ୍ୟାଟିଂକୁ ଗୁରୁତ୍ବ ଦେଉଥିବା ଦଳ ଇଂଲଣ୍ଡକୁ ହରାଇବା କଷ୍ଟକର ହେବ । ବଟଲରଙ୍କ ବ୍ୟତୀତ ଲାଏମ ଲିଭିଙ୍ଗଷ୍ଟୋନ, ଦାୱିଦ ମଲାନ ଜାସନ ରୟ ଓ ମୋଇନ ଅଲିଙ୍କ ଭଲି ବିସ୍ଫୋରକ ବ୍ୟାଟର ଦଳରେ ରହିଛନ୍ତି । ଦଳ ମ୍ୟାଚକୁ ନେଇ ଫୁଲ ପ୍ରସ୍ତୁତ ।