ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ଦାୟିତ୍ବ ନେଇ ପାରନ୍ତି ପୂର୍ବତନ କ୍ରିକେଟର ରମିଜ ରାଜା । ବର୍ତ୍ତମାନ ଏହି ଗୁରୁ ଦାୟିତ୍ବରେ ଏହସାନ ମନି ରହିଛନ୍ତି । ତେବେ ଏହସାନଙ୍କ ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଆଗାମୀ ଦିନରେ ଏହି ଦାୟିତ୍ବ ରମିଜ ରାଜାଙ୍କୁ ଦିଆଯାଇପାରେ ବୋଲି ଆଲୋଚନା ହେଉଛି । ତେବେ ଏହାକୁ ନେଇ ବିଧିବଦ୍ଧ ଭାବରେ କୌଣସି ଘୋଷଣା କରାଯାଇନାହିଁ ।
ସେପ୍ଟେମ୍ବର ୧୮ ତାରିଖରେ ଏହସାନ ମନିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ରମିଜ ରାଜାଙ୍କ ଉପରେ ଏହି ଦାୟିତ୍ବ ନ୍ୟସ୍ତ ହୋଇପାରେ । ଏହାକୁ ନେଇ ପାକିସ୍ତାନର ଜଣାଶୁଣା ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ଏହସାନ ମନିଙ୍କ କାର୍ଯ୍ୟକାଳ ବୃଦ୍ଧି ହେବାର ସମ୍ଭାବନା କମ ରହିଛି । ତାଙ୍କ କାର୍ଯ୍ୟ ଶୈଳୀକୁ ନେଇ ପୂର୍ବରୁ ଅନେକ ଅଭିଯୋଗ ଆସିଥିଲା । ଟିମ୍ ଚୟନ ହେଉ କି ଟିମର ଅନ୍ୟ କୌଣସି ନିଷ୍ପତ୍ତିକୁ ନେଇ ବୋର୍ଡର ଅନ୍ୟ ସଦସ୍ୟମାନେ ଏହସାନଙ୍କ ଉପରେ ଅସନ୍ତୋଷ ଜାହିର କରିଥିଲେ ।
ସେପଟେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ପଦ କିଏ ସମ୍ଭାଳିବେ ଏହାକୁ ନେଇ ଶେଷ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନେବେ । ବର୍ତ୍ତମାନ ଏକ ଘରୋଇ କ୍ରୀଡ଼ା ଟିଭି ଚ୍ୟାନେଲରେ କମେଣ୍ଟଟେଟର ଭାବରେ କାର୍ଯ୍ୟ କରୁଛନ୍ତି ରମିଜ ରାଜା । ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ପଦ ପାଇଁ ଗଭର୍ଣ୍ଣିଂ ବଡି ଦୁଇଟି ନାମ ସୁପାରିଶ କରିବ । ଏହି ଦୌଡ଼ରେ ରମିଜ ରାଜା ମଧ୍ୟ ରହିଛନ୍ତି । ଏହି ଦୁଇଟି ନାମ ମଧ୍ୟରୁ ଗୋଟିଏ ନାମରେ ମୋହର ମାରିବେ ଇମ୍ରାନ ଖାଁ ।
୫୯ ବର୍ଷୀୟ କ୍ରିକେଟ ସମୀକ୍ଷକ ରମିଜ ରାଜା ପାକିସ୍ତାନ ପକ୍ଷରୁ ୫୭ଟି ଟେଷ୍ଟ ମ୍ୟାଚ ଖେଳିବା ସହ ୧୯୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ସେ ୨୮୩୩ ରନ କରିଥିବା ବେଳେ ଦିନିକିଆରେ ୫୮୪୧ ରନ କରିଛନ୍ତି । ୮୦ ଓ ୯୦ ଦଶକ ମଧ୍ୟରେ ସେ ପାକିସ୍ତାନ ଦଳରେ ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ରହିଥିଲେ । ଏହାଛଡ଼ାରେ ସେ ପାକିସ୍ତାନ ବିଜୟୀ ହୋଇଥିବା ୧୯୯୨ ବିଶ୍ବକପ ଦଳରେ ମଧ୍ୟ ସାମିଲ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ