ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ ଭଉଣୀ ଅଞ୍ଜୁ ସେହ୍ବାଗ କଂଗ୍ରେସର ହାତ ଛାଡି ଶୁକ୍ରବାର ଆମ ଆଦମୀ ପାର୍ଟି(AAP)ରେ ସାମିଲ ହୋଇଛନ୍ତି । ଏଥିସହ ରାଜୌରୀ ଗାର୍ଡେନ ଅଞ୍ଚଳର ସମାଜସେବୀ ଅରବିନ୍ଦ ଚନ୍ଦେଲା ମଧ୍ୟ ଆପ୍ର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଦୁଇଜଣଙ୍କୁ ଆମ ଆଦମୀ ପାର୍ଟିର ଜାତୀୟ ସମ୍ପାଦକ ପଙ୍କଜ ଗୁପ୍ତା, ମାଲବୀୟ ନଗରର ବିଧାୟକ ସୋମନାଥ ଭାରତୀ ପାର୍ଟିର ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଛନ୍ତି ।
ଇଟିଭି ଭାରତ, ପୂର୍ବ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ ଭଉଣୀ ଅଞ୍ଜୁ ସେହ୍ବାଗଙ୍କ ସହ ଆଲୋଚନା କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାମରେ ପ୍ରଭାବିତ ହୋଇ ଆମ୍ ଆଦମୀ ପାର୍ଟିର ସଦସ୍ୟତା ଗ୍ରହଣ କରିଥିବା ସେ କହିଛନ୍ତି ।
ଅଞ୍ଜୁ ସେହ୍ବାଗ କହିଛନ୍ତି ପରିବର୍ତ୍ତନ ପ୍ରକୃତିର ନିୟମ । ବିଗତ କିଛି ବର୍ଷ ଧରି ଆମ ଆଦମୀ ପାର୍ଟି ଦିଲ୍ଲୀରେ ଭଲ କାମ କରୁଛି । ପାର୍ଟିର କାମ କରିବାର ଢଙ୍ଗରେ ପ୍ରଭାବିତ ହୋଇଛନ୍ତି । ନୂଆ ସ୍କୁଲ୍ ନିର୍ମାଣ, ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଭଲ କରିବା ଓ କୋରୋନା ସମୟରେ ଦିଲ୍ଲୀ ସ୍ଥିତି ବିଗିଡିବାକୁ ନଦେବା ଭଳି ଅନେକ କାମ ଅରବିନ୍ଦ କେଜ୍ରିୱାଲ କରିଛନ୍ତି ଯାହା ପ୍ରଭାବିତ କରିଛି ।
ଏହାମଧ୍ୟ ପଢନ୍ତୁ: COVID-19: ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ସୌରଭ ଗାଙ୍ଗୁଲି
କଂଗ୍ରେସ ଛାଡିବାର ପ୍ରଶ୍ନର ଉତ୍ତରରେ ପୂର୍ବତନ ପାରିଷଦ ଅଞ୍ଜୁ ସେହ୍ବାଗ କହିଛନ୍ତି, କଂଗ୍ରେସ ସମୟରେ ମଧ୍ୟ ଅନେକ କାମ ହୋଇଛି । ମାତ୍ର ଯେଉଁ ସିଟ୍ରୁ ପୂର୍ବରୁ ନିର୍ବାଚନ ଲଢୁଥିଲେ ଏବେ ସେ ସଂରକ୍ଷିତ ହୋଇସାରିଛି । ସେଥିପାଇଁ ସେହି ସିଟ୍ରୁ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । ତେବେ ଭବିଷ୍ୟତରେ କ'ଣ ଘଟିବ ଏବେଠାରୁ କହିବା ସମ୍ଭବ ନୁହେଁ । ପାର୍ଟି ଯେଉଁ ଦାୟିତ୍ବ ପ୍ରଦାନ କରିବ ତୁଲାଇବାକୁ ପ୍ରସ୍ତୁତ ଅଛନ୍ତି ।
ବର୍ଷ ୨୦୧୨ରେ ନଗର ନିଗମ ନିର୍ବାଚନରେ ଦକ୍ଷୀଣପୁରୀ ଏକ୍ସଷ୍ଟେନସନ୍ ସିଟ୍ରୁ କଂଗ୍ରେସ ଟିକେଟରୁ ଲଢିଥିଲେ । ବିଜୟୀ ହେବାସହ ବର୍ଷ ୨୦୧୭ ପର୍ଯ୍ୟନ୍ତ ନିଗମ ପାରିଷଦ ରହିଥିଲେ । ଏକ ଘରୋଇ ସ୍କୁଲ୍ରେ ହିନ୍ଦୀ ଶିକ୍ଷୟତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ଅଞ୍ଜୁ ସେହ୍ବାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ