ନୂଆଦିଲ୍ଲୀ: ଟେଷ୍ଟ ପିଚକୁ ନେଇ ପୁଣି କଟାକ୍ଷ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ । ଭାରତ ଓ ଇଲଂଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଦୁଇଦିନ ଶେଷ ହେବା ପୂର୍ବରୁ ଭାରତ ବିଜୟ ହାସଲ କରିଥିଲା। ଏହି ପିଚ ସ୍ପିନରମାନଙ୍କୁ ସୁହାଇଲା ଭଳି ତିଆରି ହୋଇଥିବା ନେଇ ବହୁ ପୂର୍ବତନ କ୍ରିକେଟର ସମାଲୋଚନା କରିଥିଲେ। ଏଥିରେ ମାଇକେଲ ଭନ୍ ମଧ୍ୟ ସାମିଲ ଥିଲେ ।
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ମାଇକେଲ ଭନ୍ ଲେଖିଛନ୍ତି ଯେ, ଭାରତ ଇଲଂଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ପାଇଁ ଚାଲିଛି ପ୍ରସ୍ତୁତି। ଏହି ଫଟୋରେ ଭନ୍ ଏକ ମାଟି ଗଦା ଉପରେ ବ୍ୟାଟ ଧରି ଛିଡ଼ା ହୋଇଥିବା ଦେଖା ଦେଇଛି। ଭନ୍ ବ୍ୟାଟିଂ କରିବା ଭଳି ବ୍ୟାଟ ଧରି ବଲକୁ ଅପେକ୍ଷା କରିଥିବା ଭଳି ପୋଜ୍ ଦେଇଛନ୍ତି।
ତୃତୀୟ ଟେଷ୍ଟ ମ୍ୟାଚରେ ଦୁଇ ଭାରତୀୟ ସ୍ପିନର ଅକ୍ସର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନ ଦମଦାର ବୋଲିଂ କରିଥିଲେ। ଫଳରେ ଇଂଲଣ୍ଡ ବିରୋଧରେ ଭାରତ 10 ୱିକେଟରେ ବିଜୟ ହାସଲ କରିଥିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ପିଙ୍କ ବଲ ଟେଷ୍ଟ ପରେ ଭାରତ 4ଟିକିଆ ଟେଷ୍ଟ ମ୍ୟାଚ ସିରିଜରେ 2-1ରେ ଆଗୁଆ ରହିଛି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ତୃତୀୟ ଟେଷ୍ଟ ଉଭୟ ଭାରତୀୟ ଓ ଇଲଂଣ୍ଡ ଦଳ ବ୍ୟାଟସମ୍ୟାନ ଫେଲ ମାରିଥିଲେ। ଏହାପରେ ଭନ୍ ଟ୍ବିଟ କରିଥିଲେ ଯେ, "ଦୁଇଟି ଦଳର ବ୍ୟାଟସମ୍ୟାନ ବ୍ୟାଟିଂ କରିବାରେ ବିଫଳ ହୋଇଛନ୍ତି। ସତ କହିବାକୁ ଗଲେ ଏହା 5 ଦିନ ଖେଳା ଯିବା ଭଳି ଟେଷ୍ଟ ପିଚ ନୁହେଁ।"
ସେପଟେ ମ୍ୟାଚ ପରେ ରୋହିତ ଶର୍ମା କହିଥିଲେ ଯେ, "ମୋତେ ଲାଗୁନି ପିଚ୍ କିଛି ଖରାପ ଥିଲା। ଦୁଇ ଦଳର ବ୍ୟାଟିଂ କୌଶଳର ଅଭାବ ଯୋଗୁଁ ଏଭଳି ଏକ ମ୍ୟାଚ ଦେଖିବାକୁ ମିଳିଛି। ଏଥିରେ ପିଚ ଦୋଷ ଦେବା ଠିକ ହେବନି।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ