ହାଇଦ୍ରାବାଦ: ସତ ଓଗାଳିଲେ ପାକିସ୍ତାନ ଅଲରାଉଣ୍ଡର ଶଦାବ ଖାନ୍ । କହିଲେ ବିଶ୍ବକପ ଜିତିବା ଅପେକ୍ଷା ଦଳ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଥାଏ କେମିତି ସବୁ ମ୍ୟାଚରେ ଭାରତକୁ ପରାସ୍ତ କରିବୁ । ଟିମ୍ ଇଣ୍ଡିଆକୁ ପରାଜୟର ମୁହଁ ଦେଖାଇବାକୁ ଦଳ ଉପରେ ଚାପ ରହିଥାଏ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଉଭୟ ଭାରତ ପାକିସ୍ତାନ ମଧ୍ୟରେ ସବୁବେଳେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯାଇଥାଏ । ଉଭୟ ଦଳ କେହି କାହାଠାରୁ ପରାଜୟକୁ ଗ୍ରହଣ କରିବାକୁ ରାଜି ନଥାନ୍ତି । ମ୍ୟାଚ ଜିତିବା ପାଇଁ ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଥାଏ କଡା ଟକ୍କର ।
ଟି୨୦ ବିଶ୍ବକପରେ ଭାରତ ପାକିସ୍ତାନ ମ୍ୟାଚ କିଭଳି ନାଟକୀୟ ମୋଡ ନେଇଥିଲା, ତାହା ବିଶ୍ବ ଦେଖିଥିଲା । ସେହି ରୋମାଞ୍ଚକର ମ୍ୟାଚରେ କିଭଳି ଉଭୟ ଦଳ ପରସ୍ପରକୁ ମାତ୍ ଦେବା ପାଇଁ ଶେଷ ବଲ ଯାଏଁ ଲଢେଇ ଜାରି ରଖିଥିଲେ ସେହି ଦୃଶ୍ୟ ଏବେବି ମନେପକାଇଲେ କ୍ରିକେଟ୍ ପ୍ରେମୀଙ୍କ ଲୋମ ଟାଙ୍କୁରି ଉଠେ । ଏନେଇ ପାକିସ୍ତାନ ଅଲରାଉଣ୍ଡର ଶଦାବ ଖାନ୍ ନିଜ ଦଳ ବାବଦରେ ଏକ ଖୁଲାସା କରିଛନ୍ତି । ସବୁ ମ୍ୟାଚ ଅପେକ୍ଷା ଭାରତ ବିପକ୍ଷ ମ୍ୟାଚରେ ଦଳ ଉପରେ ଅଧିକ ଚାପ ରହିଥାଏ ।
କେବଳ ଅଧିନାୟକ ନୁହନ୍ତି, ଦଳର ପ୍ରତିଟି ଖେଳାଳି ଭାରତକୁ ପରାସ୍ତ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥାନ୍ତି । ଏନେଇ ଶଦାବ ଖାନ୍ କହିଛନ୍ତି ଯେ, "ଛୋଟବେଳୁ ଆମେ ଦେଖି ଆସିଛୁ ଯେ ଆମ ପାଇଁ ବିଶ୍ବକପ ଟାଇଟଲ ହାତେଇବା ଯେତିକି ଗୁରୁତ୍ବପୂର୍ଣ୍ଣ ହୋଇନଥାଏ । ପ୍ରତିଟି ମ୍ୟାଚରେ ଭାରତକୁ ପରାସ୍ତ କରିବା ତାଠୁ ଅଧିକ ଜରୁରୀ ହୋଇଥାଏ । ଭାରତକୁ ପରାଜୟର ସ୍ବାଦ ଚଖାଇବା ପାଇଁ ଦଳ ଉପରେ ଅତ୍ୟାଧିକ ଚାପ ରହିଥାଏ ।" ଭାରତଠାରୁ ମେନ୍ ଇନ୍ ଗ୍ରୀନ୍ ପରାସ୍ତ ହେବା ପରେ ପାକିସ୍ତାନବାସୀ ଏହାକୁ ସହଜରେ ଗ୍ରହଣ କରିପାରି ନଥାନ୍ତି । ଏମିତି ବି ଗଣମାଧ୍ୟମରେ ଖବର ପ୍ରକାଶ ହୋଇଛି ଯେ ଭାରତଠାରୁ ପାକିସ୍ତାନ ମ୍ୟାଚ୍ ହାରିବା ପରେ ପାକିସ୍ତାନ ପ୍ରଶଂସକ କ୍ଷୁବ୍ଧ ହୋଇ ନିଜ ଟିଭି ଭାଙ୍ଗି ଦେଇଛନ୍ତି ।
ଭାରତ ପାକିସ୍ତାନ ଭିତରେ ସବୁବେଳେ ରାଜନୈତିକ ତିକ୍ତତା ଲାଗିରହିଛି । ଏହାର ପ୍ରଭାବ ବିସିସିଆଇ ଓ ପିସିବି ମଧ୍ୟରେ ଦେଖାଦେଇଛି । ଉଭୟ ଭାରତ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଖେଳାଯାଉନାହିଁ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଓ ଏସିସି ଟୁର୍ଣ୍ଣାମେଣ୍ଟରେ ହିଁ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ଖେଳାଯାଉଛି । କୌଣସି ଟୁର୍ଣ୍ଣାମେଣ୍ଟରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମୁହାଁମୁହିଁ ହେଲେ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମୁକାବିଲା ହୋଇଥାଏ ।