ନୂଆଦିଲ୍ଲୀ: ଇଂଲଣ୍ଡରେ ମେ 30 ରୁ କ୍ରିକେଟ ବିଶ୍ବକପ ଆରମ୍ଭ ହେଉଛି । 2019 କ୍ରିକେଟ ବିଶ୍ବକପ ଜିତିବାପାଇଁ ଭାରତ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ । ଏହା କହିଛନ୍ତି ଭାରତୀୟ ଦଳର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦିଲିପ ଭେଞ୍ଜ ସରକାର ।
ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା ସରିଛି । ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଭଲ ଫର୍ମରେ ଅଛନ୍ତି । ଆଇପିଏଲରେ ନିଜ ଫ୍ରାଞ୍ଚାଇଜ ପାଇଁ ଖେଳାଳିଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ପୂର୍ବତନ ଅଧିନାୟକ, ଭାରତ ନିଶ୍ଚିନ୍ତ ବିଶ୍ବକପ ସେମିଫାଇନାଲ ଖେଳିବ ବୋଲି କହିଛନ୍ତି । କିନ୍ତୁ ଫାଇନାଲ ଖେଳିବାକୁ ନେଇ ଆକଳନ କରିହେବନି ବୋଲି କହିଛନ୍ତି ।
ଭାରତ ଆଇସିସି ମାନ୍ୟତାର 2ୟ ସ୍ଥାନରେ ରହିଛି । ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମରେ ଅଛନ୍ତି ଏବଂ ଭାରତୀୟ ଦଳରେ ଧୋନି ଅଛନ୍ତି । ବିଜୟ ରଣନୀତି ବନେଇବାରେ ଧୋନି ମାହିର । ତେଣୁ ଭାରତ ପାଖରେ ବିଶ୍ବକପ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି ବୋଲି ସେ କହିଛନ୍ତି । ଭେଞ୍ଜସରକାର ଭାରତ ପାଇଁ 116ଟି ଟେଷ୍ଟ,129ଟି ଦିନିକିଆ ଖେଳିଛନ୍ତି । ଟେଷ୍ଟରେ 6,868 ଓ ଦିନିକିଆରେ 3,508 ରନ କରିଛନ୍ତି ।