ଲକ୍ଷ୍ନୌ: ଜାରି ରହିଥିବା ଆଇସିସି ବିଶ୍ବକପ୍ 2023ରେ ଆଜି ମୁହାଁମୁହିଁ ହୋଇଛନ୍ତି ନେଦରଲ୍ୟାଣ୍ଡ ଓ ଅଫଗାନିସ୍ତାନ । ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ୍ର ସ୍ପିନ୍ ଆଟାକ୍ ଆଗରେ ପ୍ରବଳ ସଙ୍ଘର୍ଷ କରିଥିଲା ଡଚ୍ ଦଳ । ଅଧିକାଂଶ ବ୍ୟାଟର ଅଫଗାନୀ ସ୍ପିନ୍ ଆଟାକ୍ ଆଗରେ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟ ବ୍ୟାଟରମାନେ ରନ୍ ଆଉଟ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସଙ୍ଘର୍ଷ କରି 46.3 ଓଭରରେ 179 ରନ୍ ପାଇଁ ସମସ୍ତ ୱିକେଟ୍ ହରାଇଛି ନେଦରଲ୍ୟାଣ୍ଡ । ସେମିଫାଇନାଲ ଆଶା ଉଦ୍ଜୀବିତ ରଖିବାକୁ ହେଲେ ଆଫଗାନିସ୍ତାନକୁ ନିର୍ଦ୍ଧାରିତ 50 ଓଭରରେ 180 ରନର ଆବଶ୍ୟକତା ରହିଛି ।
ନେଦରଲ୍ୟାଣ୍ଡ ବ୍ୟାଟିଂ: ପ୍ରଥମେ ଟସ୍ ଜିତି ନେଦରଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଆଫଗାନୀ ବୋଲରଙ୍କ ସମ୍ମୁଖରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନାହିଁ ଡଚ୍ ଦଳ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ନେଦରଲ୍ୟାଣ୍ଡ । ପ୍ରଥମ ଓଭରେ ହିଁ ଦଳର ଓପନର ୱେସଲେ ବାରେସି କେବଳ 1 ରନ କରି ଆଉଟ୍ ହୋଇଥିଲେ । ଏହାପରେ ଦ୍ବିତୀୟ ୱିକେଟ୍ ପାଇଁ ମ୍ୟାକ୍ସ ଓଡୱଡ୍ ଏବଂ କଲିନ୍ ଅକର୍ମ୍ୟାନ୍ ଦୁହେଁ ମିଶି 69 ରନର ଭାଗିଦାରୀ କରିଥିଲେ । ଏହା ଦଳ ପାଇଁ ସବୁଠାରୁ ବଡ଼ ଭାଗିଦାରୀ ଥିଲା । ହେଲେ 12.3 ଓଭରରେ ମ୍ୟାକ୍ସ ଓଡୱଡ୍ ଆଉଟ୍ ହେବା ପରେ ଏହି ଦୃଢ଼ ଭାଗିଦାରୀରେ ବ୍ରେକ୍ ଲାଗିଥିଲା । ଓଡୱଡ୍ 40 ବଲରେ 9ଟି ଚୌକା ସହାୟତାରେ 42 ରନ୍ କରି ଆଉଟ୍ ହୋଇଥିଲେ । ଅକର୍ମ୍ୟାନ୍ 29 ରନ କରି ପାଭିଲିୟନ ଫେରିଥିବାବେଳେ ସାଇବ୍ରାଣ୍ଡ ଏଙ୍ଗେଲ୍ବ୍ରେଚ୍ 86 ବଲରୁ ଦଳ ପାଇଁ ସର୍ବାଧିକ 58 ରନର ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍ପର୍ଶ କରିବାରେ ଅସମର୍ଥ ରହିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ନେଦରଲାଣ୍ଡସ-ଆଫଗାନିସ୍ତାନ ମୁକାବିଲା, କଡ୍ଡା ହେବ ଫାଇଟ୍
ଆଫଗାନିସ୍ତାନ ବୋଲିଂ: ଏପର୍ଯ୍ୟନ୍ତ ବିଶ୍ବକପ୍ରେ ସେମିଫାଇନାଲ୍ ଆଶା ଉଦ୍ଜୀବିତ ରଖିଥିବା ଆଫଗାନିସ୍ତାନ ଆଜି ବେଶ ଚମତ୍କାର ବୋଲିଂ ଓ ଫିଲ୍ଡିଂ କରିଥିଲା । ଦଳର ଅଭିଜ୍ଞ ସ୍ପିନର ମହମ୍ମଦ ନବୀ 9.3 ଓଭରରେ କେବଳ 28 ରନ ବ୍ୟୟରେ ସର୍ବାଧିକ 3 ୱିକେଟ୍ ଅକ୍ତିଆର କରିଥିବାବେଳେ ନୂର ଅହମ୍ମଦ 2ଟି ୱିକେଟ୍ ହାସଲ କରିଥିଲେ । ସେହିଭଳି ମୁଜାବିର ରେହମାନଙ୍କୁ ଗୋଟିଏ ସଫଳତା ମିଳିଥିଲା । ଦଳର ଶକ୍ତିଶାଳି ଫିଲ୍ଡିଂ ଆଗରେ ମଧ୍ୟ ଆଜି ଡଚ୍ ଦଳର 4 ଜଣ ବ୍ୟାଟର ରନ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।
- " class="align-text-top noRightClick twitterSection" data="">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ