ହାଇଦ୍ରାବାଦ: ପୂର୍ବତନ ବିଶ୍ବ ଚମ୍ପିଆନ ମିରାବାଇ ଚାନୁ ଆଉ ଏକ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ରାଜ୍ୟଗୋଷ୍ଠୀ ସିନିୟର ଭାର ଉତ୍ତୋଳନ ଚମ୍ପିଆନସିପର ପ୍ରଥମ ଦିନରେ ଭାରତ ସ୍ବର୍ଣ୍ଣପଦକରେ ଖାତା ଖୋଲିଛି । 49 କିଲୋଗ୍ରାମ ବର୍ଗରେ ମିରାବାଇ ମୋଟ 191କିଲୋଗ୍ରାମର(84 କିଗ୍ରା+107କିଗ୍ରା) ଭାର ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ମିରାବାଇ ଏହି ସ୍ବର୍ଣ୍ଣ ପଦକ ସହିତ 2020 ଟୋକିଓ ଅଲମ୍ପିକ୍ସ ପାଇଁ ମଧ୍ୟ ରାସ୍ତା ସହଜ କରିଛନ୍ତି । ଏହାସହ ଗୁରୁତ୍ବପୂର୍ଣ୍ଣ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ ପଏଣ୍ଟ ମଧ୍ୟ ହାସଲ କରିଛନ୍ତି ।
ଅନ୍ୟତମ ଭାରତୀୟ ଭାର ଉତ୍ତୋଳନକାରୀ ଝିଲି ଦଳବେହେରା ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସିନିୟର ମହିଳା 45କିଲୋଗ୍ରାମ ବର୍ଗରେ 154 କିଲୋଗ୍ରାମ(70କିଗ୍ରା+94କିଗ୍ରା) ଭାର ଉତ୍ତୋଳନ କରି ଝିଲି ଏହି ସଫଳତା ପାଇଛନ୍ତି ।
ସିନିୟର ମହିଳା 55କିଲୋଗ୍ରାମ ବର୍ଗରେ ସୋରୋଇଖାଇବାମ ବିନ୍ଦ୍ୟାରଣୀ ଦେବୀ ସ୍ବର୍ଣ୍ଣ ଓ ମସ୍ତା ସନ୍ତୋଷୀ ରୌପ୍ୟ ପଦକ ଜିତିଛନ୍ତି । ସିନିଅର ପୁରୁଷ 55 କିଲୋଗ୍ରାମ ବର୍ଗରେ ରିଷିକାନ୍ତ ସିଂହ 235 କିଲୋଗ୍ରାମ(105କିଗ୍ରା+130କିଗ୍ରା) ଭାରତ୍ତୋଳନ କରି ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।
ଭାରତୀୟ ଖେଳାଳି ସିନିୟର, ଜୁନିୟର ଓ ୟୁଥ ବିଭାଗରେ 8ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 2ଟି ବ୍ରୋଞ୍ଜ ସହ ମୋଟ 13 ପଦକ ଜିତିଛନ୍ତି ।