ହାଇଦ୍ରାବାଦ: ଚଳିତ ବିଶ୍ବକପରେ ଚର୍ଚ୍ଚାର ବିଷୟ ପାଲଟିଛି ‘ଜିଙ୍ଗ ବେଲ୍ସ’, ଯାହାକୁ ନେଇ ଏବେ ଅନେକ ରହସ୍ୟ । ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚରେ ପଞ୍ଚମ ଥର ପାଇଁ ଜିଙ୍ଗ ବେଲ୍ସ ଗୁଡିକ ଷ୍ଟମ୍ପରୁ ପଡିବା ପାଇଁ ନାରାଜ ହୋଇଥିଲେ । ତେବେ ସଭିଁଙ୍କ ମୁହଁରେ ଏବେ ଗୋଟିଏ ପ୍ରଶ୍ନ, କଣ ଏହି ଅତ୍ୟାଧୁନିକ ବେଲ ଗୁଡିକ ଏତେ ଶକ୍ତ ଯେ ବଲ ବାଜିଲେ ସୁଦ୍ଧା ୱିକେଟ ତଳକୁ ଖସୁ ନାହାଁନ୍ତି ?
ବିଶ୍ବକପ ଆରମ୍ଭ ହେବାର ପ୍ରଥମ 10 ଦିନରେ 5 ଥର ବଲ ଯାଇ ଷ୍ଟମ୍ପରେ ବାଜିଥିଲା କିନ୍ତୁ ବେଲ ଗୁଡିକୁ ହଟାଇ ପାରିନଥିଲା ଷ୍ଟମ୍ପରୁ । ଯାହା ବ୍ୟାଟ୍ସମ୍ୟାନଙ୍କୁ ଦେଇଥିଲା ଜୀବନଦାନ । ଅଷ୍ଟ୍ରେଲିଆ ବନାମ ଭାରତ ମ୍ୟାଚରେ ମଧ୍ୟ ଓପନର ଡେଭିଡ ୱାର୍ଣ୍ଣରଙ୍କ ୱିକେଟରେ ବଲ ବାଜିଥିଲା । କିନ୍ତୁ ଭାଗ୍ୟ ଦେଇଥିଲା ୱାର୍ଣ୍ଣରଙ୍କ ସାଥ ଓ ଷ୍ଟମ୍ପରୁ ବେଲ ଖସିନଥିଲା । 140 ବେଗରେ ବୋଲିଂ କରିଥିବା ବୁମାରାଙ୍କ ବଲରେ ମଧ୍ୟ ନହଟିବାକୁ ଯେମିତି ନିଷ୍ପତ୍ତି ନେଇଥିଲେ ‘ଜିଙ୍ଗ ବେଲ୍ସ’ ଗୁଡିକ ।
ଚଳିତ ବିଶ୍ବକପରେ ଏହା ପଞ୍ଚମ ଥର ଘଟିଛି ଯେତେବେଳେ ଜିଙ୍ଗ ବେଲ୍ସ ଗୁଡିକ ଷ୍ଟମ୍ପରୁ ତଳକୁ ଖସିନାହାନ୍ତି:
ଏ ରସିଦ- କ୍ୟୁ ଡି କକ୍, ଓଭାଲ
ଟି ବୋଲ୍ଟ- ଡି କରୁଣାରତ୍ନେ, କାର୍ଡିଫ
ଏମ ଷ୍ଟାର୍କ- କ୍ରିସ ଗେଲ, ନଟିଂହୋମ
ବି ଷ୍ଟୋକ୍ସ- ଏମ ସୈଫୁଦ୍ଦିନ, କାର୍ଡିଫ
ଜେ ବୁମରା- ଡି ୱାର୍ଣ୍ଣର, ଓଭାଲ
ପୂର୍ବତନ ପାକିସ୍ତାନ ବୋଲର ସୋଏବ ଅଖତର ମଧ୍ୟ ବେଲ ଗୁଡିକ ନଖସିବା ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ‘‘ମୋ ସମ୍ପୁର୍ଣ୍ଣ କ୍ୟାରିୟରରେ ପଞ୍ଚମ ଥର ଏପରି ହେବା ମୁଁ ଦେଖିନାହିଁ । ତାହା ପୁଣି ଖେଳ ଆରମ୍ଭ ହେବାର ଦଶ ଦିନ ମଧ୍ୟରେ "।
ତେବେ ପଞ୍ଚମ ଥର ଏହି ଘଟଣା ପରେ ମଧ୍ୟ ଆଇସିସି ଜିଙ୍ଗ ବେଲ୍ସ ଗୁଡିକ ଉପରେ ଦୃଷ୍ଟି ଦେଇନାହିଁ । ତେବେ ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ